ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
କଂଗ୍ରେସଭବନରେ ମାନସ ମନ୍ଥନ। ଦଳ ପରାଜୟର କାରଣ ଖୋଜୁଛନ୍ତି ନେତା।
ଓଡ଼ିଶାରେ କାହିଁକି ହାରିଲା କଂଗ୍ରେସ? କାହିଁକି ବଡ଼ ବଡ଼ ନେତାମାନେ ସେମାନଙ୍କ ଦୁର୍ଗ ରକ୍ଷା କରିପାରିଲେ ନାହିଁ। ନିର୍ବାଚନମଣ୍ଡଳୀରେ କ’ଣ ହେଲା ଅସୁବିଧା? ଏସବୁର ତର୍ଜମା ପାଇଁ କଂଗ୍ରେସ ଭବନରେ ଆଜି ଦିନ ତମାମ୍ ଚାଲିଥିଲା ପୋଷ୍ଟମର୍ଟମ।
କଂଗ୍ରେସ ଭବନରେ ଏକାଠି ହୋଇଥିଲେ ପରାଜିତ ଓ ବିଜୟୀ ପ୍ରାର୍ଥୀ। ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ତୁଙ୍ଗ ନେତାମାନେ ବି ଉପସ୍ଥିତ ଥିଲେ। ପ୍ରାର୍ଥୀମାନେ କାହିଁକି ହାରିଲେ ତାର କାରଣ ପ୍ରଭାରୀଙ୍କ ଆଗରେ କହିଲେ। ବିଜୟୀ ହୋଇଥିବା ପ୍ରାର୍ଥୀମାନେ ମଧ୍ୟ ସେମାନଙ୍କ ବିଜୟର କାରଣ କହିଥିଲେ।
୨୦୧୯ ନିର୍ବାଚନରେ ଓଡ଼ିଶାରେ ଧରାଶୟୀ ହୋଇଛି କଂଗ୍ରେସ। ମୋଟ ୧୪୭ ବିଧାନସଭା ଆସନରୁ ମାତ୍ର ୯ଟିରେ ବିଜୟୀ ହୋଇଛି ଦଳ। ପରିସ୍ଥିତି ଏମିତି ହୋଇଛି ଯେ ୧୯ ବର୍ଷ ହେଲା ଦୁଇ ନମ୍ବର ସ୍ଥାନରେ ଥିବା କଂଗ୍ରେସ ଏଥର ୩ ନମ୍ବରକୁ ଖସି ଆସିଛି। ବିଜେପି ଦ୍ୱିତୀୟରେ ରହିଛି।
କଂଗ୍ରେସ ଭବନରେ ମାନସମନ୍ଥନ ଚାଲିଥିବା ବେଳେ ବଡ଼ମ୍ବାରୁ ପ୍ରାର୍ଥୀ ହୋଇଥିବା ବବି ମହାନ୍ତି ବିଷୋଦ୍ଗାର କରିଛନ୍ତି। ସେ ତାଙ୍କ ପରାଜୟ ପାଇଁ ଦଳର କର୍ମୀଙ୍କୁ ଦାୟୀ କରିଛନ୍ତି।
ବବି କହିଛନ୍ତି, ‘‘ମୋ’ ପାଖରେ ଟଙ୍କାର ଅଭାବ ନଥିଲା। ଅନ୍ୟ ଦଳର ପ୍ରାର୍ଥୀଙ୍କ ପରି ମୁଁ ମଧ୍ୟ ଟଙ୍କା ଖର୍ଚ୍ଚ କରି ପାରିଥାନ୍ତି। ହେଲେ ଦଳର କର୍ମୀ ଏବଂ ନେତା ବିଶ୍ୱାସଘାତକତା କରିବାରୁ ମୁଁ ପରାଜିତ ହେଲି।’’
ବବି ବଡ଼ମ୍ବା ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ସେ ରାଜ୍ୟର ସବୁଠୁ ଧନୀ ପ୍ରାର୍ଥୀ ଥିଲେ। କିନ୍ତୁ ବଡ଼ମ୍ବାରେ ବବି ତିନି ନମ୍ବର ସ୍ଥାନରେ ରହିଥିଲେ।
‘‘କ’ଣ ପାଇଁ ଦଳ ହାରିଲା ତାକୁ ନେଇ ତର୍ଜମା ଚାଲିଛି। ପ୍ରାର୍ଥୀମାନେ ଆସି କାରଣ କହିଛନ୍ତି। ଏହାପରେ ପିସିସି ପକ୍ଷରୁ ୨୧ ଜଣିଆ କମିଟି ଗଠନ କରାଯିବ। ଏହି କମିଟି ବୁଥ୍ ସ୍ତରକୁ ଯିବ ଏବଂ ତୃଣମୂଳ ସ୍ତରର କର୍ମୀଙ୍କ ସହ ଆଲୋଚନା କରିବ’’, କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ।








କଂଗ୍ରେସଭବନରେ ମାନସ ମନ୍ଥନ। ଦଳ ପରାଜୟର କାରଣ ଖୋଜୁଛନ୍ତି ନେତା।









