ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଥିଲେ ମଧ୍ୟ କଳି ଥମୁନି। କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଆସି ପରାଜୟର କାରଣ ଖୋଜୁଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭିତରେ ତୁତୁ ମେମେ କଂଗ୍ରେସ ରାଜନୀତିକୁ ଆହୁରି ଉଷ୍ମ କରିଛି।

ହେମାନନ୍ଦ ନିଜ ପାଇଁ ଏବଂ ନିଜ ଝିଅ ପାଇଁ ଟିକେଟ ନେବାକୁ ବ୍ୟାକୁଳ ଥିବା କହିଥିବା ବେଳେ ହେମାନନ୍ଦ ଏହାକୁ ବେକାର କଥା କହିଛନ୍ତି।

‘‘ହେମାନନ୍ଦ ବିଶ୍ୱାଳ ୨୦୧୯ ନିର୍ବାଚନରେ ନିଜେ ଲଢ଼ିବା ପାଇଁ ବ୍ୟାକୁଳ ଥିଲେ। ଯେତେବେଳେ ପିଇସି କମିଟି ବସିଥିଲା ସେତେବେଳେ ଅନ୍ୟ ନେତାମାନଙ୍କୁ ଏ ବିଷୟରେ କହୁଥିଲେ। ହେଲେ ନିଜ ପାଇଁ ଟିକେଟ ନହେବାରୁ ଶେଷରେ ନିଜ ବଡ଼ ଝିଅ ସୁନିତା ବିଶ୍ୱାଳଙ୍କ ପାଇଁ ଲବି କରିଥିଲେ। କିନ୍ତୁ ବାପା-ଝିଅଙ୍କୁ ଟିକେଟ ନମିଳିବାରୁ ବିଜେଡିକୁ ଝିଅକୁ ପଠାଇ ଦେଇଥିଲେ ହେମାନନ୍ଦ। ଫଳରେ କଂଗ୍ରେସ ସୁନ୍ଦରଗଡ଼ରେ ତୃତୀୟ ସ୍ଥାନରେ ରହିଥିଲା’’, ନିର୍ବାଚନ ପରେ ହେମାନନ୍ଦଙ୍କୁ ଏମିତି ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା।

କାହ୍ନୁ ଚରଣ ଲେଙ୍କା ଆହୁରି କହିଛନ୍ତି, ‘‘ହେମାନନ୍ଦ ହେଉଛନ୍ତି ୧୨୧ ଦିନର ମୁଖ୍ୟମନ୍ତ୍ରୀ। ଏଣୁ ସେ କେମିତି ଜାଣିବେ କାହା ନିର୍ବାଚନମଣ୍ଡଳୀ କେଉଁଠି ଏବଂ କାହାର ସ୍ଥିତି କ’ଣ ଅଛି? ଆଦିବାସୀ ନେତା ହୋଇଥିଲେ ମଧ୍ୟ ନିଜ ଅଞ୍ଚଳରେ ସେ ଗ୍ରହଣୀୟ ହେଉ ନାହାନ୍ତି। ହେମାନନ୍ଦ ବିଶ୍ୱାଳ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହୋଇଥିଲେ ମଧ୍ୟ ସେ ନିଜେ ଶୃଙ୍ଖଳା ଭାଙ୍ଗିଛନ୍ତି। ଏସବୁ ବିଷୟରେ ହାଇକମାଣ୍ଡଙ୍କୁ ଅବଗତ କରାଯିବ।’’

କାହ୍ନୁ ଲେଙ୍କାଙ୍କ ଏପରି ଅଭିଯୋଗକୁ ମିଛ କହିଛନ୍ତି ହେମାନନ୍ଦ। ସେ କହିଛନ୍ତି ଯେ କାହ୍ନୁ ବାବୁ କଂଗ୍ରେସର ନିର୍ବାଚନ କମିଟିରେ ନାହାନ୍ତି। ଏଣୁ ସେ କେମିତି ଜାଣିଲେ ଟିକେଟ ପାଇଁ ମୁଁ ଗୋଡ଼ ହାତ ଧରୁଛି ବୋଲି ପାଲଟା ପ୍ରଶ୍ନ କରିଛନ୍ତି।

ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଛି। ବିଧାନସଭାରେ ୯ଟି ଆସନ ପାଇଥିବା ବେଳେ ଲୋକସଭାରେ ମାତ୍ର ଗୋଟିଏ ଆସନରେ ଖାତା ଖୋଲିଛି କଂଗ୍ରେସ।

Comment