ଓଡିଶାଲାଇଭ୍ ବ୍ୟୁରୋ

ରାଜଧାନୀର ବ୍ୟସ୍ତବହୁଳ ରାଜରାସ୍ତା। ହଜାର ହଜାର ଗାଡ଼ିରେ ସବୁବେଳେ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱର। ସେହି ଗହଳି ଭିତରେ ବେଳେ ବେଳେ ନଜରକୁ ଆସେ ରାଜଧାନୀ ରାଜରାସ୍ତାରେ ଭିନ୍ନ ଅନ୍ଦାଜରେ ଟ୍ରାଫିକକୁ ନିୟନ୍ତ୍ରଣ କରୁଥିବା କିଛି ଲୋକ।

ଏପରି ଜଣେ ନିଆରା ବ୍ୟକ୍ତିତ୍ୱ ହେଲେ ବେଣୁଧର ସାହୁ। ହୋମଗାର୍ଡ ଭାବରେ କାର୍ଯ୍ୟରତ ବେଣୁଧର ନିଜ ନିଆରା ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବେଶ୍ ପରିଚିତ। ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନିଆରା ଢଙ୍ଗରେ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ନଜର ଆସନ୍ତି ବେଣୁଧର। ଭିନ୍ନ ଭିନ୍ନ ଅଙ୍ଗଭଙ୍ଗିରେ ହାତକୁ ହଲାଇ, ଗୋଡ଼ ଚଳାଇ କରିଥାନ୍ତି ଟ୍ରାଫିକ୍ ନିୟନ୍ତ୍ରଣ। ଏବଂ ତାଙ୍କର ଏହି ନିଆରା ଅନ୍ଦାଜକୁ ଦେଖିବା ପାଇଁ ଯେ ନାହିଁ କିଏ ଅଟକିଯାନ୍ତି କିଛି ମୁହୂର୍ତ୍ତ ତାଙ୍କର ଏହି ଅନ୍ଦାଜ ଦେଖିବାକୁ।

ବୟସ ଆସି ୪୩ ଛୁଇଁଲାଣି। ଦୈନିକ ୨୫ ଟଙ୍କାରୁ ଚାକିରି ଆରମ୍ଭ କରିଥବା ବେଣୁଧର ଦୀର୍ଘ ୨୧ ବର୍ଷଧରି ସେ ଏହି କାମ କରିଆସୁଛନ୍ତି। ଚାକିରି ଜୀବନରେ ଆଜି ପାଉଛନ୍ତି ମାସିକ ମାତ୍ର ୯ ହଜାର ଟଙ୍କା।

ନିଜ କାମକୁ ନିଷ୍ଠାର ସହ ପରିଚାଳନା କରିବା ପାଇଁ ସେ ରାଜ୍ୟ ସରକାର ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି।

ଟ୍ରାଫିକ୍ ପୋଷ୍ଟରେ କାମ କରି ନିଜର ପରିବାର ଚଳାଉଥିବା ବେଣୁଧର ରହି ଆସୁଥିଲେ ଏକ ନୂଆଣିଆ ଚାଳଘରେ। କିନ୍ତୁ ଏବେ ବାପା ଜେଜେ ବାପା ଅମଳରୁ ଥିବା ଜମିକୁ ବିକ୍ରି କରି ଏକ ପକ୍କା ଘର ତିଆରି କରିଛନ୍ତି।

ବିଭିନ୍ନ ଅନୁଷ୍ଠାନରୁ ଅନେକ ପୁରସ୍କାର ପାଇବା ପରେ ମଧ୍ୟ ଏବେ ବି ବିଭିନ୍ନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ବେଣୁଧର। ପିଲାମାନଙ୍କ ପାଠପଢ଼ା, ଘର ଚଳାଇବା, ଆଦି କାମ ପାଇଁ ଦରମା ଟଙ୍କା ଯଥେଷ୍ଟ ନୁହେଁ ବୋଲି କୁହନ୍ତି ବେଣୁଧର।

ବୟସ ଆସି ୪୩ ଛୁଇଁଲାଣି ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ନିଜ କାମକୁ ସଠିକ୍ ଭାବେ କରିଆସିଛନ୍ତି  ବେଣୁଧର ଏବଂ ଆଗକୁ ମଧ୍ୟ ଏଭଳି ନିଷ୍ଠାର ସହ କାମ କରିବେ ବୋଲି ସେ କହିଛନ୍ତି।

ବର୍ଷତମାମ ନିଜର କାମକୁ ନିଷ୍ଠାର ସହ କରଆସିଛନ୍ତି ବେଣୁଧର। ବେଣୁଧର ଆଗକୁ ମଧ୍ୟ ନିଜର ଏହି କାର୍ଯ୍ୟ ଜାରିରଖିବେ ବୋଲି କହିଛନ୍ତି।

Comment