ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଅସୁରକ୍ଷିତ ସରକାରୀ ଛାତ୍ରୀ ନିବାସ।
କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଏମିତି କାଣ୍ଡ ଘଟିଛି ଯାହା ସରକାରୀ କଳର ଅପାରଗତାକୁ ପଦାରେ ପକାଇ ଦେଇଛି। ରାଜ୍ୟ ସରକାରଙ୍କ ଅନସୂଚିତ ଜାତି, ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆବାସିକ ସ୍କୁଲର ଛାତ୍ରୀ ନିବାସରେ ୪ ଜଣ ଛାତ୍ରୀ ଗର୍ଭବତୀ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ରାଜଧାନୀରେ ସରକାରୀ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଭବିଷ୍ୟତ ସହ ଏମିତି ଖେଳ କିଏ ଖେଳିଲା ତାକୁ ନେଇ ପ୍ରଶ୍ନବାଚୀ ଉଠିଛି। ହେଲେ ପୋଲିସ ଏହାକୁ ମାନିବାକୁ ନାରାଜ।
ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗତ ୨୮ ତାରିଖରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷା ଟିମ୍ ରାଜଧାନୀର ଏକ ନିର୍ଦ୍ଦିଷ୍ଟ ଆବାସିକ ହଷ୍ଟେଲରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପ୍ରାୟ ୧୦୧ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ହେଲେ ସେମାନଙ୍କ ଭିତରୁ ୪ ଜଣ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା।
ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଲା। ଆବାସିକ ହଷ୍ଟେଲରେ ଛାତ୍ରୀଙ୍କୁ ଗର୍ଭବତୀ କିଏ କଲା ତାକୁ ନେଇ ତନାଘନା ଚାଲିଲା। ଏହି ଘଟଣାରେ କମିଶନରେଟ୍ ପୋଲିସ ସାଲିଆ ସହି ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହାସହ ପୋଲିସ ୪ ଜଣ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ଅସ୍ୱୀକାର କରିଛି।
ପୋଲିସ ଡିସିପି ଅନୁପ ସାହୁ କହିଛନ୍ତି, ‘‘ଖରା ଛୁଟି ପରେ ଛାତ୍ରୀମମାନେ ହଷ୍ଟେଲକୁ ଆସିଥିଲେ। ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏଥିରେ ଜଣେ ଛାତ୍ରୀ ଗର୍ଭବତୀ ଥିବା ରିପୋର୍ଟ ଆସିଛି। ଘଟଣାର ତଦନ୍ତ କରାଯାଉଛି।’’
ପୂର୍ବରୁ କନ୍ଧମାଳ, ନବରଙ୍ଗପୁର ଆଦି ଅଞ୍ଚଳରେ ଥିବା ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ଖବର ଆସୁଥିଲା। କିନ୍ତୁ ଏବେ ରାଜଧାନୀରେ ଆବାସିକ ହଷ୍ଟେଲ ସୁରକ୍ଷିତ ନଥିବା ଜଣାପଡ଼ିଛି।








ଭୁବନେଶ୍ୱରରେ ଅସୁରକ୍ଷିତ ସରକାରୀ ଛାତ୍ରୀ ନିବାସ।









