ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୪୭ ମସିହା ଅଗଷ୍ଟ ୧୫। ଏହି ଦିନ ବ୍ରିଟିଶମାନଙ୍କ କବଳରୁ ଭାରତ ସ୍ୱାଧୀନତା ହାସଲ କରିଥିଲା। ସେବେଠାରୁ ପୂରା ଦେଶରେ ପ୍ରତିବର୍ଷ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ ଥର ଭାରତ ୭୩ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ଭାରତକୁ ସ୍ୱାଧୀନ କରିବା ପାଇଁ ଦେଶର କୋଣ ଅନୁକୋଣରୁ ସଂଗ୍ରାମୀମାନେ ମାତୃଭୂମି ପାଇଁ ନିଜ ଜୀବନକୁ ବଳିଦାନ କରିଥିଲେ। ଏହି ସ୍ୱାଧୀନତା ସଂଗ୍ରାମୀ ମଧ୍ୟରେ ଓଡ଼ିଆ ବି ସାମିଲ ଥିଲେ।

ଯିଏ ନିଜ ଜୀବନକୁ ଦେଶ ପାଇଁ ବଳିଦାନ କରିଥିଲେ କିନ୍ତୁ ଇଂରେଜମାନଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ। ସେହି ଓଡ଼ିଆ ଯାହାର ତ୍ୟାଗ, ସଂଘର୍ଷ ଓ ଅଦମ୍ୟ ସାହସ ଯୋଗୁଁ ଆଜିବି କୋଟି କୋଟି ଭାରତୀୟମାନଙ୍କ ମନରେ ଜୀବୀତ ହୋଇ ରହିଛି। ଏବେ ବି ପୂରା ଓଡ଼ିଆ ଜାତି ତାଙ୍କୁ ନେଇ ଗର୍ବିତ ହେଉଛି। ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ହେଲେ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଓରଫ ଜୟୀ ରାଜଗୁରୁ। ତାଙ୍କ ବିରତ୍ୱ ଓ ମାତୃଭୂମି ପ୍ରେମକୁ ଖାଲି ଓଡ଼ିଆ ମାଟି ନୁହେଁ ସାରା ଦେବା ସମ୍ମାନ କରୁଛି।

୧୭୩୯ ଅକ୍ଟୋବର ମାସ ୨୯ ତାରିଖରେ ପୁରୀଠାରୁ ମାତ୍ର ୫ କିମି ଦୁର ଗାଁ ବୀର ହରେକୃଷ୍ଣପୁରରେ ଜନ୍ମ ଗ୍ରହଣ କରିଥିଲେ ଜୟୀ ରାଜଗୁରୁ। ପିତା ଚାନ୍ଦ ରାଜଗୁରୁ ଓ ମାତା ହାରାମଣୀ ଦେବୀ। ସେତେବେଳେ ଉତ୍କଳର ରାଜଧାନୀ ଖୋର୍ଦ୍ଧା ଗଡ଼ରେ ଗଜପତି ଦିବ୍ୟ ସିଂହ ଦେବଙ୍କ ରାଜଗୁରୁ ଥିଲେ ଜୟୀଙ୍କ ପିତା ଚାନ୍ଦ ରାଜଗୁରୁ। ପିଲାଟି ବେଳୁ ଜୟୀ ରାଜଗୁରୁଙ୍କ ସ୍ୱପ୍ନ ଥିଲା ଯୋଦ୍ଧା ହେବାକୁ। ସେହି ସ୍ୱପ୍ନ ନେଇ ସେ ଆଗକୁ ଆଗକୁ ବଢ଼ିଥିଲେ। ଏହାପରେ ପିତାଙ୍କ ଅନ୍ତେ ୧୭୮୦ ମସିହାରେ ମହାରାଜ ଗଜପତିଙ୍କ ରାଜଗୁରୁ ତଥା ମନ୍ତ୍ରୀ ହେଲେ ଜୟୀ ରାଜଗୁରୁ। ଏହାପରଠୁ ସେ ‘ଜୟୀ ରାଜଗୁରୁ’ ନାମରେ ପରିଚିତ ହେଲେ।

ରାଜା ଦିବ୍ୟ ସିଂହ ଦେବଙ୍କ ଅନ୍ତେ ତାଙ୍କ ନାବାଳକ ପୁଅ ମୁକୁନ୍ଦ ଦେବଙ୍କୁ ସିଂହାସନରେ ବସାଇ ୧୭୯୮ରେ ପ୍ରତିନିଧିତ୍ୱ କରିଥିଲେ।

ଓଡ଼ିଶାରେ ଉତ୍କଳ ରାଜବଂଶକୁ ମଜବୁତ୍ କରାଇବା ପାଇଁ ବରୁଣାଇ ଗଡ଼କୁ ସୁଦୃଢ଼ କରିବାକୁ ଲାଗିଥିଲେ ଜୟୀ। ସେ ସମସ୍ତ ପାଇକ ଗ୍ରାମକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଇଥିଲେ। ପାଇକ ଆଖଡ଼ା କରି ସେ ନିଜର ଯୁଦ୍ଧ ବିଦ୍ୟା ଶିଖାଇଥିଲେ। ରୋଡଙ୍ଗର ବକ୍ସି ବିଗମ୍ବର ଭୂୟାଁ, ବାଇସୁନ୍ଦର ପ୍ରମୂଖ ବ୍ୟକ୍ତିମାନେ ଜୟୀ ରାଜଗୁରୁଙ୍କୁ ସାହାଯ୍ୟ କରି ଜାଗରଣର ନେତୃତ୍ତ୍ୱ ନେଇଥିଲେ।

ସ୍ୱାଧୀନତା ସଂଗ୍ରାମରେ ଜୟୀ ରାଜଗୁରୁଙ୍କ ଯୋଗ

୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିଥିଲେ। ପରେ ଖୋର୍ଦ୍ଧା ରାଜାଙ୍କଠୁ କର ଆଦାୟ କଲେ। ଏହା ଜୟୀ ରାଜଗୁରୁଙ୍କ ସ୍ୱାଭିମାନକୁ ଆଘାତ ଦେଇଥିଲା। ‘‘ଜୀବନ ଦେଇ ଦେବା ପଛେ ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇବା ନାହିଁ’’ କହି ସେ ଗାଁ ଗାଁ ଯାଇ ପାଇକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଇଥିଲେ। ସେ ଇଂରେଜମାନଙ୍କ ସହ ଲଢ଼ିବା ପାଇଁ ଆରମ୍ଭ କରିଥିଲେ ଗରିଲା ଯୁଦ୍ଧ କୌଶଳ।

ବନ୍ଦୀ ହଲେ ଜୟୀ ରାଜଗୁରୁ

୧୮୦୪ରେ ମହାନଦୀ କୂଳରେ ଜୟୀ ରାଜଗୁରୁ ଇଂରେଜମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଇଂରେଜମାନେ ଏହାର ପ୍ରତିରୋଧ କରି ମାନ୍ଦ୍ରାଜ୍‌ରୁ ଅଧିକ ସୈନ୍ୟ ମଗାଇଥିଲେ।

୧୮୦୪ ଡିସେମ୍ବରକୁ ବରୁଣେଇ ପାହାଡ଼ ନିକଟରେ ଇଂରେଜର ବିଶାଳ ସୈନ୍ୟ ବାହିନୀ ସହିତ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ହୋଇଥିବା ଖୋର୍ଦ୍ଧା ଗଡ଼ର ପାଇକମାନେ ଲଢ଼ି ନିଜ ବୀରତ୍ୱ ପ୍ରଦର୍ଶନ କରିଥିଲେ। କିନ୍ତୁ ଇଂରେଜମାନେ କେତେକ ଖଳ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ଜୟୀ ରାଜଗୁରୁଙ୍କୁ ବନ୍ଦୀକଲେ ଓ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗକୁ ଅକ୍ତିଆର କରିନେଲେ

୫ଡିସେମ୍ବର ୧୮୦୪ରେ ୧୮୦୪ ଧ୍ୱସ୍ତ ହୁଏ ଖୋର୍ଦ୍ଧା ଗଡ଼। ମେଜର ଫ୍ଲେଚର ଖୋର୍ଦ୍ଧାଗଡ଼ ଶାସକ ଭାବେ ନିଜକୁ ଘୋଷଣା କରନ୍ତି। ୩ ଜାନୁଆରି ୧୮୦୫ରେ ବନ୍ଦୀ ହୁଅନ୍ତି ଗଜପତି ମୁକୁନ୍ଦ ଦେବ।

ଜୟୀ ରାଜଗୁରୁଙ୍କୁ ହତ୍ୟା

ମାର୍ଚ୍ଚ ୫, ୧୮୦୬ରେ ଇଂରେଜ କର୍ଣ୍ଣେଲ ହାର୍‌କୋଟ ଜୟୀ ରାଜଗୁରୁଙ୍କୁ ମୃତ୍ୟୁ ଦଣ୍ଡାଦେଶ ଘୋଷଣା କରନ୍ତି। ପ୍ରଥମେ ମୁକୁନ୍ଦଦେବ ଓ ଜୟୀ ରାଜଗୁରୁଙ୍କୁ ବାରବାଟୀ ଦୁର୍ଗରେ ବନ୍ଦୀ କରାଯାଏ। ଏହାପରେ ଗଣ ବିପ୍ଳବର ଆଶଙ୍କାରେ ଜୟୀ ରାଜଗୁରୁଙ୍କୁ ପଶ୍ଚିମବଙ୍ଗଳାର ମେଦିନିପୁର ଜେଲ୍‌କୁ ସ୍ଥାନାନ୍ତରିତ କରାଯାଏ।

୧୮୦୬ ଡିସେମ୍ବର ୬ରେ ଅତି ନିର୍ମମ ଭାବେ ବିପ୍ଳବୀ ଜୟୀ ରାଜଗୁରୁଙ୍କୁ ହତ୍ୟା କରାଯାଏ। ମେଦିନିପୁରରେ ବାଘି ତୋଟାରେ ବରଗଛର ଦୁଇଟି ଡାଳକୁ ଭିଡ଼ି ଆଣି ଜୟୀ ରାଜଗୁରୁଙ୍କ ହାତ ଓ ଗୋଡ଼କୁ ଉଭୟ ଡାଳରେ ବାନ୍ଧି ଦିଆଗଲା। ଏହାପରେ ଡାଳକୁ ଛାଡ଼ି ଦିଆଗଲା। ତାଙ୍କ ଶରୀର ଦୁଇଫାଳ ହୋଇଗଲା। ଦେଶର ପ୍ରଥମ ସହଦି ଥିଲେ ବିପ୍ଳବୀ ଜୟୀ ରାଜଗୁରୁ।

ଜୟୀ ରାଜଗୁରୁ ଇଂରେଜମାନଙ୍କ ସାମ୍ନାରେ ନଇଁ ନଥିଲେ, ସେଥିପାଇଁ ଲୋକକଥା ପ୍ରଚଳିତ ରହିଛି ଯେ, ‘ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା’।

LEAVE A REPLY

Please enter your comment!
Please enter your name here