ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପାଇବେ ଅର୍ଜୁନ ପୁରସ୍କାର। ତାଙ୍କ ସହ ମହିଳା କ୍ରିକେଟର ପୁନମ ଯାଦବ ମଧ୍ୟ ଏହି ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ଏହି ଦୁଇଜଣ କ୍ରିକେଟରଙ୍କ ସହ ଓଡିଶାରୁ ପାରା ବ୍ୟାଡ୍‌ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ମଧ୍ୟ ଏହି ସମ୍ମାନଜନକ ପୁରସ୍କାର  ପାଇବା ପାଇଁ ମନୋନିତ ହୋଇଛନ୍ତି।

ଏହାସହ ପାରା ଆଥଲେଟ୍ ଦୀପା ମଲ୍ଲିକ ଓ ରେସଲର୍ ବଜରଙ୍ଗ ପୁନିଆଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି ଖେଳ ରତ୍ନ ଆୱାର୍ଡ ମିଳିବ। ଖେଳ ଜଗତରେ ଯେଉଁ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି ତାଙ୍କୁ ସମ୍ମାନ ସ୍ୱରୂପ ଏହି ଖେଳ ରତ୍ନରେ ସମ୍ମାନିତ କରାଯାଏ।

ଚଳିତ ବର୍ଷ ୧୯ଜଣ ଖେଳାଳି ଏହି ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ବିସିସିଆଇ ଏହି ବର୍ଷ ଅର୍ଜୁନ ଆୱାର୍ଡ ପାଇଁ ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମୀ, ଜସପ୍ରୀତ୍ ବୁମରା୍ ଓ ପୁନମ୍ ଯାଦବଙ୍କ ନାମକୁ ସୁପାରିସ୍ କରିଥିଲା।

୧୯୬୧ ମସିହାରୁ ଆରମ୍ଭ ହୋଇଥିବା ଅର୍ଜୁନ ଆୱାର୍ଡରେ ତୀର ମାରୁଥିବା ଅର୍ଜୁନଙ୍କ ପ୍ରତିମୂର୍ତ୍ତି ସହ ନଗଦ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ।

ଅର୍ଜୁନ ଆୱାର୍ଡ ପାଇଁ ମନୋନିତ ରବୀନ୍ଦ୍ର ଜାଡେଜା କ୍ରିକେଟର ତିନୋଟି ଯାକ ଫର୍ମାଟରେ ନିଜକୁ ଦକ୍ଷ ପ୍ରମାଣିତ କରିସାରିଛନ୍ତି। ସେ ୪୧ଟି ଟେଷ୍ଟ, ୧୫୬ଟି ଦିନିକିଆ ଓ ୪୨ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଚଳିତ ଇଂଲଣ୍ଡରେ ହେଉଥିବା ବିଶ୍ୱକପ ସେମିଫାଇନାଲରେ ଦଳ ସଂକଟରେ ଥିବା ସମୟରେ ଜାଡେଜା ୫୯ଟି ବଲରେ ୭୭ରନ କରିଥିଲେ।

Comment