ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଣ୍ଡ୍ରୋଏଡ ସ୍ମାର୍ଟଫୋନ ବ୍ୟବହାରକାରୀ ଏଣିକି ସାବଧାନ ହୋଇଯାଆନ୍ତୁ। ଆପଣଙ୍କ ସ୍ମାର୍ଟଫୋନରେ ଥାଇପାରେ ନକଲି ‘ଗୁଗଲ ପ୍ଲେ ଷ୍ଟୋର’। ନିକଟରରେ କୁଇକ୍‌ ହିଲ୍‌ ସିକ୍ୟୁରିଟି ଲାବ୍‌ ପକ୍ଷରୁ ଏଭଳି ୨୭ଟି ନକଲି ଆପ୍‌ ଗୁଗଲର ଅଫିସିଆଲ ପ୍ଲେ ଷ୍ଟୋରରେ ଠାବ କରିଛି। ଯାହା ଇନ୍‌ଷ୍ଟଲ ହେବା ପରେ ଅବିକଲ ପ୍ଲେ ଷ୍ଟୋର ଲୋଗୋ ସହିତ ଆପଣଙ୍କ ମୋବାଇଲରେ ରହିଯାଏ।

ଏନେଇ ଗତ ସପ୍ତାହରେ କୁଇକ୍‌ ହିଲ୍‌ ଗୁଗଲକୁ ସୂଚନା ଦେବାପରେ ଏହାକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। କୁଇକ୍‌ ହିଲ୍‌ ମୂତାବିକ, ଏହି ନକଲି ଆପ୍‌ ଅସଲି ପ୍ଲେ ଷ୍ଟୋରରେ ରହି ବିଭିନ୍ନ ଅନାବଶ୍ୟକ ଆଡଭର୍ଟାଇଜମେଣ୍ଟ(ବିଜ୍ଞାପନ) ସହିତ ଯୁଜର୍ସମାନଙ୍କୁ ଏହି ଆପ୍‌ ଇନ୍‌ଷ୍ଟଲ କରିବାକୁ ଉସୁକାଉଥିଲା।

ୟୁଜର୍ସ ଯଦି ଅଜାଣତରେ ଏହି ଆପ୍‌ ଇନ୍‌ଷ୍ଟଲ କରି ଦେଇଥାଏ, ତେବେ ମୋବାଇଲରେ ବହୁଳ ଭାବେ ବିଜ୍ଞାପନ ଦେଖିବାକୁ ମିଳିବ। ଆପଣଙ୍କ ମୋବାଇଳରେ ବହୁଳ ବିଜ୍ଞାପନ ଦେଖିବାକୁ ମିଳୁଥିଲେ ସାବଧାନ ହୋଇଯାଆନ୍ତୁ।

ସବୁଠାରୁ ବଡ଼ କଥା ହେଲା, ୟୁଜର୍ସ ଏହି ଆପକୁ ଅନ୍‌ଇନ୍‌ଷ୍ଟାଲ କଲେ ମଧ୍ୟ ଏହା ଆପଣଙ୍କ ମୋବାଇଲରୁ ହଟିବ ନାହିଁ। ଏହି ସମସ୍ତ ୨୭ଟି ଆପ୍‌ ଗୋଟିଏ ଡେଭେଲୋପର AFAD Drift Racer ପକ୍ଷରୁ ତିଆରି ହୋଇଛି।

ତେବେ ଏହାକୁ ଚେକ୍‌ କରିବା ପାଇଁ କୁଇକ୍‌ ହିଲ୍‌ ପକ୍ଷରୁ ଏକ ରାସ୍ତା କାଢ଼ିଛି। ଏଥିପାଇଁ ଆପଣଙ୍କ ସ୍ମାର୍ଟଫୋନର ସେଟିଂକୁ ଯାଆନ୍ତୁ। ଏଠାରେ ଥିବା Apps ଆଣ୍ଡ notifications ଅପ୍‌ସନରେ କ୍ଲିକ୍‌ କରନ୍ତୁ। ଯଦି ଆପଣଙ୍କ ମୋବାଇଲରେ ନକଲି ପ୍ଲେ ଷ୍ଟୋର ରହିଥିବ, ତେବେ ଏଠାରେ ଦୁଇଟି Google Play Store ଦେଖିବାକୁ ମିଳିବ।

ବର୍ତ୍ତମାନ ଗୋଟିଏ ପ୍ଲେ ଷ୍ଟୋର ଉପରେ କ୍ଲିକ କରନ୍ତୁ। ଯଦି ଏଥିରେ Force Stop ସହିତ Uninstall ଅପ୍‌ସନ ରହିଛି, ତେବେ ଜାଣନ୍ତୁ କି ଏହା ନକଲି ପ୍ଲେ ଷ୍ଟୋର ଆପ୍‌। କାହିଁକି ନା ଅସଲି ପ୍ଲେ ଷ୍ଟୋର ଆପ୍‌ରେ  Uninstall Updates ଏବଂ Disable ଅପ୍‌ସନ ରହିଥାଏ।

Comment