ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୁପ୍ରିମକୋର୍ଟରୁ ନିରାଶ ଚିଦାମ୍ବରମ୍‌
  • ହୋଇ ପାରିଲାନି ଆଗୁଆ ଜାମିନ ଆବେଦନର ଶୁଣାଣି
  • ଶୁକ୍ରବାରକୁ ଘୁଞ୍ଚିଲା ଶୁଣାଣି
  • ଇଡି ପରେ ସିବିଆଇ ଜାରି କଲା ଲୁକ୍‌ ଆଉଟ୍‌ ସର୍କୁଲାର୍‌
  • ଚିଦାମ୍ବରମ୍‌ଙ୍କ ପତ୍ତା ମିଳୁନି
  • ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ, ପ୍ରିୟଙ୍କା

ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଅଡୁଆ ବଢ଼ି ଯାଇଛି। ଦିଲ୍ଲୀ ହାଇକୋର୍ଟ ପରେ ସୁପ୍ରିମକୋର୍ଟରୁ ନିରାଶ ହୋଇଛନ୍ତି ଚିଦାମ୍ବରମ୍‌। ଚିଦାମ୍ବରମ୍‌ଙ୍କୁ ଏବେ ସିବିଆଇ ଏବଂ ଇଡି ଖୋଜୁଥିବା ବେଳେ ତାଙ୍କର ପତ୍ତା ମିଳୁନି।

ଚିଦାମ୍ବରମ୍‌ ଏବେ କେଉଁଠି ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ କଂଗ୍ରେସ ମୋଦି ସରକାରଙ୍କୁ ସିଧା ତୀର ମାରିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଟୁଇଟ୍‌ କରି ମୋଦି ସରକାରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି।

‘‘ମୋଦି ସରକାର ଇଡି ଏବଂ ସିବିଆଇକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ମିଡିଆ କମ୍ପାନି ସହ ଚିଦାମ୍ବରମ୍‌ଙ୍କୁ ଯେମିତି ଯୋଡ଼ା ଯାଇଛି ତାହା ନିନ୍ଦନୀୟ। ମୋଦି ସରକାର କ୍ଷମତାର ଅପବ୍ୟବହାର କରୁଥିବାରୁ ମୁଁ ଏହାକୁ ଦୃଢ଼ତାର ସହ ନିନ୍ଦା କରୁଛି’’, କହିଛନ୍ତି ରାହୁଲ ଗାନ୍ଧୀ।

‘‘ପି ଚିଦାମ୍ବରମ୍‌ ରାଜ୍ୟସଭାର ଜଣେ ସମ୍ମାନସ୍ପଦ ନେତା। ସେ ଦୀର୍ଘ ବର୍ଷ ହେଲା ସାଧୁତାର ସହ ଦେଶର ସେବା କରି ଆସୁଛନ୍ତି। ସେ କେନ୍ଦ୍ର ଅର୍ଥ ଏବଂ ଗୃହ ମନ୍ତ୍ରାଳୟର ମନ୍ତ୍ରୀ ଥିଲେ। ବର୍ତ୍ତମାନର କେନ୍ଦ୍ର ସରକାରଙ୍କର ବିଫଳତାକୁ ସେ ଲୋକଲୋଚନକୁ ଆଣୁଥିଲେ’’, କହିଛନ୍ତି ପ୍ରିୟଙ୍କା ଗାନ୍ଧୀଭଦ୍ରା।

ପି ଚିଦାମ୍ବରମ୍‌ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଫସିଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ଏବଂ ଇଡି ଖୋଜୁଛନ୍ତି। ମଙ୍ଗଳବାର ରାତିରେ ସିବିଆଇ ଏବଂ ଇଡି ଚିଦାମ୍ବରମ୍‌ଙ୍କ ବାସଭବନରେ ଚଢ଼ାଉ କରିଥିଲେ। ହେଲେ ଚିଦାମ୍ବରମ୍‌ ନଥିଲେ।

ଇଡି ତାଙ୍କ ଘର ଆଗରେ ଲୁକ୍‌ ଆଉଟ୍‌ ସକୁର୍ଲାର ନୋଟିସ୍‌ ଲଗାଇଥିଲା। ଏବେ ସିବିଆଇ ମଧ୍ୟ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ଫଳରେ ଚିଦାମ୍ବରମ୍‌ ଅଡୁଆରେ ପଡ଼ିଛନ୍ତି।

‘‘କାଗଜପତ୍ରରେ ଏବେ ଲଢ଼େଇ ଲଢ଼ିବାକୁ ପଡ଼ିବ। ଯଦି କୌଣସି ନେତାଙ୍କ ପଛରେ ସରକାର ପଡ଼ି ଯାଉଛନ୍ତି ତାହାଲେ ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ବିକଳ୍ପ ହେଉଛି ଦୃଢ଼ ପ୍ରମାଣପତ୍ର। ଯଦି ପ୍ରମାଣପତ୍ର ସୁଦୃଢ଼ ଅଛି ତାହାଲେ ଲଢ଼େଇ ଜୋରଦାର ହୋଇପାରିବ’’, କହିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।

ପି ଚିଦାମ୍ବରମ୍‌ ଦିଲ୍ଲୀ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଆଜି ଚିଦରାମ୍ବରମ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ସୁପ୍ରିମକୋର୍ଟରେ ଚିଦାମ୍ବରମ୍‌ଙ୍କ ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ ବିବେକ ତନ୍‌ଖା। ହେଲେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇପାରି ନାହିଁ। ଶୁକ୍ରବାର ଏହି ଆବେଦନ ଉପରେ ଶୁଣାଣି ହୋଇପାରେ।

ଆଇଏନ୍‌ଏକ୍ସ ମିଡିଆ ମାମଲା କ’ଣ?

୨୦୦୭ରେ ଯେତେବେଳେ ଚିଦାମ୍ବରମ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ରହିଥିଲେ ସେତେବେଳେ ପିଟର ମୁଖାର୍ଜୀ ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଆଇଏନ୍‌ଏକ୍ଓ ମିଡିଆ କମ୍ପାନିରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନୁମତି ଦେଇଥିଲେ। ପରେ ଏହି କମ୍ପାନିରେ ୩୦୫ କୋଟି ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା।

ଏହି କମ୍ପାନିରେ ୫ କୋଟିର ବିଦେଶୀ ପୁଞ୍ଜି ନିବେଶ ହୋଇପାରିବ ବୋଲି ଅନୁମତି ମିଳିଥିଲା। କିନ୍ତୁ ଅଧିକ ୩୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଥିଲା ଏହି କମ୍ପାନିରେ। ଏହା ପଛରେ ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ କମ୍ପାନିର ହାତ ରହିଥିବା କୁହାଗଲା।

Comment