ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ଙ୍କୁ ଗିରଫ କରିଛି ସିବିଆଇ। ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଛନ୍ତି ଚିଦାମ୍ବରମ୍। ଚିଦାମ୍ବରମ୍ଙ୍କ ଗିରଫଦାରୀକୁ ନେଇ ୨୪ ଘଣ୍ଟା ହେଲା ହାଇଭୋଲଟେଜ ଡ୍ରାମା ଲାଗି ରହିଥିଲା।
ଆଇଏନ୍ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ନେଇ ବିବାଦୀୟ ହୋଇପଡ଼ିଥିଲେ ପି ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍। ୨୦୦୭ରେ ଚିଦାମ୍ବରମ୍ ଅର୍ଥ ମନ୍ତ୍ରୀ ଥିବା ବେଳେ ଆଇଏନ୍ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ହୋଇଥିବା ଅଭିଯୋଗ ହୋଇଥିଲା।
୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନୁମତି ଥିବା ବେଳେ ଆଉ ୩୦୦ କୋଟି ଟଙ୍କା କେମିତି ନିବେଶ ହେଲା ତାକୁ ନେଇ ଚିଦାମ୍ବରମ୍ ଇଡି ଏବଂ ସିବିଆଇ ସ୍କାନରରେ ରହିଥିଲେ।
ଚିଦାମ୍ବରମ୍ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ। ହେଲେ ଜାମିନ ଆବେଦନ ଖାରଜ ହେବା ପରେ ଚିଦାମ୍ବରମ୍ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟରୁ ଆଜି ନିରାଶ ହୋଇଥିଲେ।
ମଙ୍ଗଳବାର ସନ୍ଧ୍ୟାରୁ ଚିଦାମ୍ବରମ୍ଙ୍କୁ ଇଡି ଏବଂ ସିବିଆଇ ଖୋଜୁଥିଲା। ହେଲେ ଚିଦାମ୍ବରମ୍ଙ୍କ ପତ୍ତା ମିଳୁ ନଥିବା ସିବିଆଇ ପକ୍ଷରୁ କୁହାଯାଇଥିଲା। ସୁପ୍ରିମକୋର୍ଟରୁ ନିରାଶ ହେବା ପରେ ଚିଦାମ୍ବରମ୍ ବୁଧବାର ସନ୍ଧ୍ୟାରେ କଂଗ୍ରେସ ମୁଖ୍ୟାଳୟକୁ ଆସି ସାମ୍ବାଦିକ ସମ୍ମିଳନୀ କରିଥିଲେ। ନିଜ ନିର୍ଦ୍ଦୋଶ କହିବା ସହ ଆଇନ ପାଖରେ ହାତ ଟେକି ଦେଇଥିଲେ।
ପରେ ସିବିଆଇ ଚିଦାମ୍ବରମ୍ଙ୍କ ଘରେ ଚଢ଼ାଉ କରିଥିଲା। ଚିଦାମ୍ବରମ୍ଙ୍କୁ ସିବିଆଇ ଅଧିକାରୀ ଉଠାଇ ଆଣିଥିଲେ। କିଛି ସମୟ ହେପାଜତରେ ରଖିବା ପରେ ତାଙ୍କୁ ଗିରଫ କରାଯାଇଥିଲା।


















