ଓଡ଼ିଶାଲାଇଭ ବ୍ୟୁରୋ
ଶ୍ରୀମନ୍ଦିର ଚାରିପଟୁ ବେଆଇନ ଉଚ୍ଛେଦ ପରେ ଏବେ ପ୍ରଶାସନ ବିଚ୍ ଉପରେ ନଜର ପକାଇଛନ୍ତି। ସିବିଚ୍ ପାଖରେ ବେଆଇନ ଭାବେ ଜବରଦଖଲ ହୋଇଥିବା ସମସ୍ତ ସ୍ଥାନକୁ ବୁଲ୍ଡୋଜର ଲଗାଇ ପ୍ରଶାସନ ଉଚ୍ଛେଦ ଚଲାଇଛନ୍ତି। ଉଚ୍ଛେଦ ସ୍ଥାନରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ, ତହସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାମ ଜାରି ରହିଛି।
ସିବିଚ୍ ନିକଟରେ ଯାତ୍ରିକା ଯାତ୍ରୀ ନିବାସକୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପୂର୍ବରୁ ଯାତ୍ରୀ ନିବାସରୁ ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଥିଲା। ଏକ ଏକରର ଜମିରେ ଥିବା ଏହି ଯାତ୍ରୀ ନିବାସ ଉଚ୍ଛେଦ ପରେ ଏହାକୁ ପ୍ରଶାସନ ନିଜ ଅଧିନକୁ ନେବ। ପୁରୀ ସହର ପାଇଁ ସରକାରଙ୍କ ତରଫରୁ ୫୦୦କୋଟିର ଯୋଜନା ହୋଇଥିବାରୁ ଏହି କାର୍ଯ୍ୟକୁ ପ୍ରଶାସନ ଜୋରଦାର ଆରମ୍ଭ କରିଛି।
ପ୍ରଥମେ ଶ୍ରୀମନ୍ଦିର ଚାରିପାଖରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମେଘନାଦ ପାଚେରି କଡ଼ରେ ଥିବା ସରକାରୀ ଓ ବେସରକାରୀ ଅଫିସ ଓ ଦୋକାନ ଗୁଡ଼ିକୁ ପ୍ରଶାସନ ଉଚ୍ଛେଦ କରିବା ସହ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି।