ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ସହରର ବାରବାଟୀ ଅଞ୍ଚଳର ମଣ୍ଡଳ ପରିବାର, କର ପରିବାର, ଦେବ ପରିବାର ଓ ମଦନମୋହନ ଦାସ ପରିବାର ମିଳିତ ଭାବେ ଏହି ପୂଜା କରୁଥିଲେ। ଏହା ବୋଧହୁଏ ୧୭୦୦ ମସିହା ପୂର୍ବର କଥା।
୧୮୬୩ ମସିହାରେ ଶ୍ୟାମାଚରଣ କରଙ୍କ ବଂଶଧରମାନେ ଦୁର୍ଗାଙ୍କ ମୂର୍ତ୍ତି କରି ନିଜ ବୈଠକଖାନାରେ ପୂଜା କରୁଥିବା ଇତିହାସ କହେ। ସେ ସମୟରୁ ଆଜି ପର୍ଯ୍ୟନ୍ତ ଦୁର୍ଗାପୂଜାର ବ୍ୟାପକ କ୍ରମୋନ୍ନତି ହେବା ସହ ସହରରେ ପ୍ରତିବର୍ଷ ପୂଜା ମଣ୍ଡପ ବୃଦ୍ଧି ପାଇବାରେ ଲାଗିଛି।
୧୯୭୪ ମସିହାରୁ କାଳୀମନ୍ଦିର ଦୁର୍ଗାପୂଜା କମିଟି ମା’ ଦୁର୍ଗାଙ୍କ ପୂଜାକୁ ଅତି ଧୁମ୍ଧାମ୍ର ସହ ପାଳନ କରି ଆସୁଛନ୍ତି।
ମୁଖ୍ୟ ଆକର୍ଷଣ ବାଡ଼ି ଖେଳ
ବାଲେଶ୍ୱର ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ବାଡ଼ିଖେଳ। ଆବାହମାନ କାଳରୁ ବାଲେଶ୍ୱର ସହରରେ ଏହି ପୁରାତନ ପରମ୍ପରା ରହିଆସିଛି। ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ମଧ୍ୟରେ ଭ୍ରାତୃତ୍ୱ ଭାବ ପ୍ରତିଷ୍ଠା ହେଉଛି ଏହାର ଉଦ୍ଦେଶ୍ୟ।
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଉଭୟ ସମ୍ପ୍ରଦାୟର ଆଖଡ଼ା ଦଳ ଅଷ୍ଟମୀ ଦିନ ସକାଳୁ ସହରର ବିଭିନ୍ନ ସ୍ଥାନରୁ ବାହାରି ପୃଥକ ଶୋଭାଯାତ୍ରାରେ ମହାବୀର ମନ୍ଦିର ନିକଟରେ ପହଞ୍ଚିଥିଲେ। ମନ୍ଦିର ନିକଟରେ ଖେଳ ପ୍ରଦର୍ଶନ କରି ସେମାନେ ସଲାମି ଗ୍ରହଣ କରିଥିଲେ।
ଆଖଡ଼ା ଖେଳ ଭିତରେ ବନାଟି, ରୁକମାର, ଛେଡ଼ିବାଡ଼ି, ପରିବାଡ଼ି, ଖଣ୍ଡାଖେଳ ଦର୍ଶକଙ୍କ ମନ ମୋହିଥିଲା। ଏପରିକି କିଶୋରୀମାନେ ମଧ୍ୟ ନିଜ କ୍ରୀଡ଼ା ନୈପୁଣ୍ୟ ଦେଖାଇଥିଲେ। ୧୯୨୫ ମସିହାରେ ତତ୍କାଳୀନ ସ୍ୱାଧୀନତା ସଂଗ୍ରାମୀ ଡ, ହରେକୃଷ୍ଣ ମହତାବ ଏହି ପରମ୍ପରା ସୃଷ୍ଟି କରିଥିଲେ।
ଗତବର୍ଷ ୨୬ଟି ଆଖଡ଼ା ଦଳ ବିଭିନ୍ନ ଅଞ୍ଚଳରୁ ବହାରିଥିବା ବେଳେ ଚଳିତ ବର୍ଷ ମୋଟ ୧୬ଟି ଦଳ ଭାଗ ନେଇଥିଲେ। ଶନିବାର ବିଜୟା ଦଶମୀ ପାଇଁ ସହରରେ ଭିଡ଼ ବେଶ୍ ଜମିବ। ସହରର ୩ଟି ଜାଗାରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ରହିଛି। ଆଇଟିଆଇ ପଡ଼ିଆ, ବାଲିଘାଟ ପଡିଆ ଓ ରେମୁଣାଠାରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି