ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଯୁବପିଢ଼ିଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ। ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭରସିଟି)ର ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରାଇଛି କମିଶନରେଟ ପୋଲିସ।

ସୋଆର କ୍ୟାମ୍ପସ ୨ ପରିସରରେ ଆୟୋଜିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ଟ୍ରାଫିକ ନିୟମ ଉଲଂଘନ ଦ୍ୱାରା କିଭଳି ଧନଜୀବନ ନଷ୍ଟ ହେଉଛି ସେ ନେଇ ସଚେତନ କରାଯାଇଛି।

ସୋଆରେ ଆୟୋଜିତ ହୋଇଥିବା ଏହି ସଚେତନତା ଅଭିଯାନରେ ଭୁବନେଶ୍ୱର ଟ୍ରାଫିକ ଡେପୁଟି କମିଶନର ସାଗରିକା ନାଥ, ଟ୍ରାଫିକ ଏସିପି କିଶୋର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଡିସିପି ନାଥ କହିଥିଲେ ଯେ, “୨୦୧୮ରେ ସଡ଼କ ଦୁର୍ଘଟଣାରେ ଭାରତରେ ୧ ଲକ୍ଷ ୩୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ମୃତ ବ୍ୟକ୍ତିଙ୍କ ବୟସ ୧୫ ରୁ ୪୫ ବର୍ଷ ମଧ୍ୟରେ ରହିଥିଲା। ଅର୍ଥାତ୍ ଅଧିକାଂଶ ଯୁବପିଢ଼ିଙ୍କର ମୃତ୍ୟୁ ହୋଇଛି। ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନ ଅନୁଯାୟୀ ସମସ୍ତଙ୍କୁ ଟ୍ରାଫିକ ନିୟମ ମାନବା ଉଚିତ।

ସବୁ ପ୍ରକାର ଗାଡ଼ି ଚାଳକମାନେ ସେମାନଙ୍କର ଆବଶ୍ୟକୀୟ କାଗଜପତ୍ର ତିନି ମାସ ମଧ୍ୟରେ ଠିକଣା କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ଯେ କହିଥିଲେ, ମଦ ପିଇ ଗାଡି ଚଲାଇଲେ, ଗାଡି ଚଲାଇବା ବେଳେ ମୋବାଇଲ୍ ବ୍ୟବହାର କଲେ, ଦୁଇଚକିଆ ଯାନ ଚଲାଇବା ବେଳେ ହେଲମେଟ ନ ପିନ୍ଧିଲେ, ଦୁଇ ଚକିଆ ଯାନରେ ତିନି ଜଣଙ୍କୁ ବସାଇଲେ ଏବଂ ସିଟ୍‌ ବେଲ୍ଟ ନ ପିନ୍ଧିଲେ ବର୍ତମାନ ପୋଲିସ ଜରିମାନା ଆଦାୟ କରୁଛି।

ଏହି ଟ୍ରାଫିକ ସଚେତନତା ସମ୍ପର୍କିତ ପଥପ୍ରାନ୍ତ ନାଟକ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ନିୟମଗୁଡ଼ିକୁ ପାଳନ କରିବା ସହ ଜନସାଧାରଣ ଏବଂ ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ଦିଗରେ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ କ୍ୟାମ୍ପସରେ କମିଶନରେଟ୍ ପୋଲିସ ପଥପ୍ରାନ୍ତ ନାଟକ ଆୟୋଜନ କରାଉଛି।

Comment