ଓଡ଼ିଶାଲାଇଭ୍ ବ୍ୟୁରୋ
ଚୌଧୁରୀ ବଜାର ନିଆରା ଦୁର୍ଗାପୂଜା ପରମ୍ପରା, ଜାଣି ଆଶ୍ଚର୍ଯ୍ୟ ହେବେ ଏଠିଭୋଗ ହୁଏ ପରିବା ଚୋପାର ‘ଚୋପି’ ଓ ‘ଜହ୍ନିପୋଡ଼ା’
କଟକ ଦୁର୍ଗାପୂଜାର ସବୁଠୁ ଆକର୍ଷଣ ହେଉଛି ଚାନ୍ଦିମେଢ଼। ଆଉ ଏଠାରେ ଚାନ୍ଦିମେଢ଼ର ପରମ୍ପରା ଆରମ୍ଭ କରିଥିବା ପୂଜା କମିଟି ହେଉଛି ଚୌଧୁରୀ ବଜାର ଦୁର୍ଗା ପଞ୍ଚାୟତ କମିଟି। କେବଳ ଚାନ୍ଦି ନୁହେଁ ବରଂ ସୁନା କାରୁକାର୍ଯ୍ୟରେ ମଧ୍ୟ ଏହି କମିଟି ପ୍ରଥମ। ସୁନା ଓ ରୂପା ମେଢ଼ର ସୌନ୍ଦର୍ଯ୍ୟ ସାଙ୍ଗକୁ ଏଠାରେ ଆଉ ଏମିତି କିଛି ସ୍ୱତନ୍ତ୍ରତା ଦେଖିବାକୁ ମିଳେ ଯାହା ବେଶ୍ ନିଆରା।
ବିଶେଷକରି ଦୁର୍ଗାପୂଜାରେ ଏଠାରେ ଯେଉଁ ଭୋଗ ଲଗାଯାଏ ତାହା ଅନ୍ୟତ୍ର ପ୍ରାୟ ଦେଖିବାକୁ ମିଳେନାହିଁ। ୧୮୭୨ ମସିହାରେ ଦୁର୍ଗାମଣ୍ଡପରେ ପ୍ରଥମେ ବଙ୍ଗୀୟ ରୀତିନୀତିରେ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ୧୯୫୬ରେ କମିଟି ପକ୍ଷରୁ ଅଢ଼େଇ କୁଇଣ୍ଟାଲ ଚାନ୍ଦିରେ ମେଢ଼ ଓ ସିଂହାସନ ତିଆରି କରାଯାଇଥିଲା। ୧୯୯୩ରେ ମା’ଙ୍କ ପାଇଁ ସାଢ଼େ ୩ କିଲୋ ଓଜନର ସୁନା ମୁକୁଟ ତିଆରି ହୋଇଥିଲା।
୨୦୦୨ରେ ପାର୍ଶ୍ୱ ଦେବାଦେବୀଙ୍କର ମୁକୁଟ ଓ ଗହଣା ସୁନାରେ ତିଆରି ହୋଇଥିଲା। ଏହି ବର୍ଷ ଗୋଟିଏ ସୁନା କଲିକା ତିଆରି ହୋଇଥିଲା। ୨୦୦୫ରେ ମା’ଙ୍କର ସୁନାର ଚମ୍ପାହାର ଓ ଚାନ୍ଦି ମେଢ଼ରେ ଲାଗିଥିବା ୪ଟି କଲିକା ସୁନାରେ ତିଆରି ହୋଇଥିଲା । ୨୦୦୮ରେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପାଇଁ ସୁନାର ହାର ନିର୍ମାଣ ହୋଇଥିଲା।
୨୦୧୩ରେ ଚାନ୍ଦି ମେଢ଼ର ଏକ ସୁନାର ଓଁ ତିଆରି କରାଯାଇଥିଲା। ୨୦୧୮ରେ ମେଢ଼ରେ ଆଉ ଦୁଇଟି ସୁନା କଲିକା ଖଞ୍ଜାଯାଇଥିଲା। ଚଳିତବର୍ଷ ପୂଜା ବଜେଟ୍ ୧୪ ଲକ୍ଷ ରଖାଯାଇଛି। ଦଶମୀରେ ୫ରୁ ୭ ହଜାର ଲୋକଙ୍କ ପାଇଁ ଦହି ପଖାଳ ବ୍ୟବସ୍ଥା ହେବ। ଏଥିସହ ପ୍ରତିବର୍ଷ ପରି ପରିବା ଚୋପାରୁ ପ୍ରସ୍ତୁତ ସ୍ୱତନ୍ତ୍ର ବ୍ୟଞ୍ଚନ ‘ଚୋପି’ ଏବଂ ଜହ୍ନିପୋଡ଼ା ମା’ଙ୍କ ନିକଟରେ ଲାଗି ହେବା ପରେ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ।
ଭଗତପୁର ଅଞ୍ଚଳର ମନ ମହାରଣା ମୂର୍ତ୍ତି ନିର୍ମାଣ କରୁଛନ୍ତି। ତେବେ କମିଟିର ପୂର୍ବତନ ସଂପାଦକ ପୂର୍ଣ୍ଣ ଚନ୍ଦ୍ର ଦତ୍ତଙ୍କର ପରଲୋକ ଘଟିଥିବାରୁ ପୂଜା ଓ ଭସାଣିକୁ ନିରାଡମ୍ବର ଭାବେ ପାଳନ କରାଯିବ ବୋଲି କମିଟି ପକ୍ଷରୁ ସଭାପତି ଦେବାଶିଷ ରାୟ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସିଂ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ କୁମାର ମାଝି, ମନୋଜ କୁମାର ନନ୍ଦୀ, ମୋହନ କୁମାର ଗୁଇଁ, ରାଜେନ୍ଦ୍ର କୁମାର ମାଝି, ନିରଞ୍ଜନ ବେହେରା, ଶିବଦାସ, ଦୀପକ କୁମାର ସିଂ, ସୁରେଶ କୁମାର ଗୁଇଁ, ସନ୍ତୋଷ କୁମାର ସାହୁ, ଚିତ୍ତ ରଞ୍ଜନ ବେହେରା, ଶୁଭଙ୍କର ସେନ୍ ସହ ସଂପାଦକ, ସପନ କୁମାର ଗୁଇଁ କୋଷାଧ୍ୟକ୍ଷ, ସୁରେଶ କୁମାର କୁଣ୍ଡୁ ସହ କୋଷାଧ୍ୟକ୍ଷ ଭାବେ ପୂଜା ପରିଚାଳନାରେ ସହଯୋଗ କରିବେ।