ଓଡ଼ିଶାଲାଇଭ ବ୍ୟୁରୋ

ରାଜନୀତିରେ ପ୍ରବେଶ କରିବେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ। ଜାତୀୟ ଓ ଅନ୍ତର୍ଜାତୀୟ ଦୌଡ଼ ପ୍ରତିଯୋଗିତାରେ ଅନେକ ସଫଳତା ହାସଲ କରିଥିବା ଏହି ଧାବିକା ଆଗକୁ ରାଜନୀତିରେ ପ୍ରବେଶ କରିବେ ବୋଲି ଟୁଇଟରରେ ସୂଚନା ଦେଇଛନ୍ତି।

ସୋମବାର ଦୂତି ଟୁଇଟ୍ କରି ଲେଖିଛନ୍ତି, “ପିଲାଟି ଦିନରୁ ମୁଁ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛି। ମୋ ପରିବାର ମଧ୍ୟ ତୃଣମୂଳସ୍ତରରେ ରାଜନୀତିରେ ଅଛନ୍ତି। ମୋ ମା ମଧ୍ୟ ନିଜେ ଆମ ଗାଁର ସରପଞ୍ଚ ଥିଲେ।”


ତେବେ ଏନେଇ ଦୂତି ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯଦି ତାଙ୍କୁ କୌଣସି ଦଳ ସୁଯୋଗ ଦେବେ ତାହେଲେ ସେ ରାଜନୀତିକୁ ଓହ୍ଲାଇବେ। ହେଲେ ଏଥିପାଇଁ ସେ ଖେଳ ଛାଡ଼ିବେ ନାହିଁ।

ଏହି ଟୁଇଟ୍ କରିବା ପରେ ଦୂତି ରାଜନୀତିରେ ପ୍ରବେଶ କରିବେ ବୋଲି ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି। ଦୂତିଙ୍କ ଏହି ପୋଷ୍ଟକୁ କେତେକ ସ୍ୱାଗତ କରିଥିବାବେଳେ କେତେକ ତାଙ୍କୁ ରାଜନୀତିଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି।

ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ କ୍ରୀଡ଼ା ଜଗତରେ ଅନେକ ସଫଳତା ହାସଲ କରିପାରିଛନ୍ତି। ପୂର୍ବରୁ ଦୂତି ନିଜର ସମଲିଙ୍ଗୀ ସାଥୀଙ୍କୁ ନେଇ ଚର୍ଚ୍ଚାରେ ଥିଲେ। ଏହାପରେ ସେ ଓଲିଉଡ୍ କମେଡିଆନ୍ ପପୁ ପମପମଙ୍କ ଏକ ଫିଲ୍ମର ପୋଷ୍ଟରକୁ ନେଇ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ।

Comment