ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ବିସିସିଆଇ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଖେଳାଯିବ ତିନିଦିନିଆ ଅଭ୍ୟାସ ମ୍ୟାଚ୍।

ଅକ୍ଟୋବର ୨ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ଓ ଭାରତୀୟ ଦଳର କିଛି ଖେଳାଳି ଏହି ଅଭ୍ୟାସ ମ୍ୟାଚରେ ମୁହାଁମୁହିଁ ହେବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିସିସିଆଇ ବୋର୍ଡ ସଭାପତି ଏକାଦଶ ଦଳର ନେତୃତ୍ୱ ନେଉଛନ୍ତି ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ରୋହିତ ଶର୍ମା। ସେ ବର୍ତ୍ତମାନ ଟେଷ୍ଟ ଓପନର୍‌ ଭାବରେ ଦଳରେ ସାମିଲ ହୋଇଛନ୍ତି। ସୀମିତ ଓଭର କ୍ରିକେଟରେ ସେ ଭାରତୀୟ ଦଳର ନିୟମିତ ଓପନର ଭାବରେ ଖେଳୁଛନ୍ତି। କିନ୍ତୁ ଟେଷ୍ଟ ଦଳରେ ବର୍ତ୍ତମାନ ସୁଦ୍ଧା ନିଜର ସ୍ଥାନ ପକ୍କା କରିପାରିନାହାନ୍ତି। ତେଣୁ ଆଗାମୀ ଟେଷ୍ଟ ସିରିଜ୍ ପାଇଁ ରୋହିତ ଶର୍ମାଙ୍କ ଏହି ମ୍ୟାଚର ବ୍ୟାଟିଂ ଉପରେ ସମସ୍ତଙ୍କର ନଜର ରହିବ।

ସେହିପରି ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ୍ ବୁମରା ଆହତ ହୋଇ ଟେଷ୍ଟ ସିରିଜରୁ ବାଦ୍ ପଡ଼ିବା ପରେ ଦଳରେ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। ତେଣୁ ଏହି ଅଭ୍ୟାସ ମ୍ୟାଚରେ ବୋଲର ଭାବରେ ଉମେଶ ଯାଦବଙ୍କ ଉପରେ ସମସ୍ତଙ୍କର ନଜର ରହିବ।

ସେହିପରି ଦକ୍ଷିଣ ଆଫ୍ରିକା ଦଳର ଡୁ ପ୍ଲେସିସ୍, ତେମ୍ବା ବାଭୁମା,ଡିନ୍ ଏଲଗାରଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କର ନଜର ରହିବ। ଅନ୍ୟପଟେ ବୋଲିଂ ବିଭାଗରେ କାଗିସୋ ରାବାଡା, ଲୁଙ୍ଗି ନିଗିଡି ଓ ଫିଲାଣ୍ଡରଙ୍କ ଉପରେ ନଜର ରହିବ।

Comment