ମହାତ୍ମା ଗାନ୍ଧୀଙ୍କ ଜୀବନ କାହାଣୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍ ପକ୍ଷରୁ ପ୍ରସ୍ତୁତ ୱେବ୍ ସିରିଜ୍ –‘ମଣିଷ ଗାନ୍ଧୀ’।
୧୯୩୪ ମସିହାରେ ଗାନ୍ଧୀଜୀ ୨ଥର ଓଡିଶା ଆସିଥିଲେ। ସମାଜରୁ ଅସ୍ପୃଶ୍ୟତା ହଟାଇବାପାଇଁ ଓଡ଼ିଶାରେ ହରିଜନ ପଦଯାତ୍ରା ଚାଲିଥିଲା। ପଦଯାତ୍ରା ଚାଲିଥାଏ ଏବଂ ଗାନ୍ଧୀଜୀଙ୍କ ସାଙ୍ଗରେ ଥା’ନ୍ତି ସାରା ଭାରତ ବର୍ଷରୁ ଆସିଥିବା ଅନେକ ପ୍ରତିନିଧି, ସମ୍ବାଦବାତା ଏବଂ ଗୋପବନ୍ଧୁ ଚୌଧୂରୀ, ରମାଦେବୀ, ନୀଳକଣ୍ଠ ଦାସଙ୍କ ଭଳି ଓଡ଼ିଶାର ବହୁ ତୁଙ୍ଗ ନେତା।
ଗାନ୍ଧୀଜୀ ବଇରୀ ଷ୍ଟେସନରୁ ପଦଯାତ୍ରା ଆରମ୍ଭ କରି ଚମ୍ପାପୁର, ଭେଡ଼ା ଦେଇ ଯାଇଥିଲେ ଲେଖନପୁର। ସମାଜରୁ ଅସ୍ପୃଶ୍ୟତା ହଟାଇବା ଏହି ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ଥିଲା ତେଣୁ ଗାନ୍ଧୀଜୀ ଚାହିଁଥିଲେ କି, ଲେଖନପୁର ହରିଜନ ବସ୍ତି ଦେଖିବା ପାଇଁ ଏବଂ ଯଦି ଦରକାର ପଡ଼େ ତେବେ ସେଠାରେ ରହିବେ।
ଏହା ପୂର୍ବରୁ ବାଟରେ ପଡ଼ିଥିଲା ମଧୁସୂଦନ ଦାସଙ୍କ ଗାଁ ସତ୍ୟଭାମାପୁର। ଗାନ୍ଧିଜୀ ମଧୁସୂଦନ ଦାସଙ୍କ କୋଠୀରେ ରାତ୍ରୀଯାପନ କରିଥିଲେ। ସୂଚନାଯୋଗ୍ୟ, ସେତେବେଳେ ମଧୁସୂଦନ ଦାସଙ୍କ ଦେହାନ୍ତ ହୋଇସାରିଥିଲା। ଜୀବନ ଥିବା ସମୟରେ ଗାନ୍ଧୀଜୀ ମଧୁସୂଦନ ଦାସଙ୍କଠାରୁ ଅରଟ, ଚରଖା ଚଳାଇବା ଶିଖିଥିଲେ।
ଗାନ୍ଧୀଜୀ ହରିଜନ ବସ୍ତି ବୁଲି କିଭଳି ଲୋକମାନେ ଅପରିଷ୍କାର ଭାବେ ରହିଛନ୍ତି ତାହା ଦେଖିଥିଲେ। ଏହାପରେ ଯିବା ରାସ୍ତାରେ ମଣିଷଙ୍କ ମଳ ପଡ଼ିଥିବାର ଦେଖିବାକୁ ପାଇଲେ। ପରେ ସାଧାରଣ ସଭାରେ ଗାନ୍ଧୀ ଲୋକଙ୍କୁ ଉଦ୍ବୋଧନ ଦେଇ କହିଥିଲେ, “ଆଜି ମୋର ଅସ୍ପୃଶ୍ୟତା ସହ ମୁହାଁମୁହିଁ ହେଲା”। ଏହା ଶୁଣି ସାଧାରଣ ଲୋକ ଆଶ୍ଚର୍ଯ୍ୟ ହେଲେ। ଗାନ୍ଧିଜୀ କହିଥିଲେ ଯେ ଅପରିଷ୍କାର ରହିବା ବି ଗୋଟିଏ ପ୍ରକାର ଅସ୍ପୃଶ୍ୟତା। ଗାନ୍ଧିଜୀଙ୍କ ଏହି କଥା ସେତେବେଳେ ସମସ୍ତଙ୍କ ମନରେ ଗୁଞ୍ଜରଣ ହୋଇଥିଲା।
ଏହାପରେ ଗାନ୍ଧୀଜୀ ବହୁପଦର ଗାଁରେ ରାତ୍ରୀଯାପନ କରିଥିଲେ। ଗାଁର ଜଣେ ଲୋକର ବାରଣ୍ଡାର ସେ ଶୋଇଯାଇଥିଲେ। ସକାଳେ ଗାନ୍ଧୀଙ୍କୁ ନିଜର ଦାଢ଼ି ଖିଅର ହେବାର ଥିଲା। ତେଣୁ ବାରିକକୁ ନପାଇ ଗ୍ରାମବାସୀ ଦାଢ଼ି କାଟିବାକୁ ଜଣେ ବାରିକିଆଣୀକୁ ଧରି ଆଣିଥିଲେ।
ଗାନ୍ଧୀ ଦେଖିଲେ ବାରିକିଆଣୀ ଜଣକ ଅନେକ ଅଳଙ୍କାର ପିନ୍ଧିଥିଲେ। ବାରିକିଆଣୀ ପିନ୍ଧିଥିବା ସବୁ ଅଳଙ୍କାର ଅନେକ ଅପରିଷ୍କାର ରହିଥିଲା। ଏହା ଦେଖି ଗାନ୍ଧୀଜୀ ତାଙ୍କୁ ପ୍ରଶ୍ନ କଲେ, “ତୁମେ ଏ ସବୁ ଅପରିଷ୍କାର ଜିନିଷ କାହିଁକି ପିନ୍ଧିଛ? ଏ ଅପରିଷ୍କାର ଅଳଙ୍କାର ପିନ୍ଧିଲେ ତୁମେ ପୂର୍ବ ଅପେକ୍ଷା ଖରାପ ଲାଗୁଛ।”
ଗାନ୍ଧୀଜୀ କହିଥିଲେ ଅଳଙ୍କାର ହେଉଛି ମଇଳାର ଘର। ଗାନ୍ଧୀଜୀଙ୍କ ଏହି କଥା ସେତେବେଳେ ସାରା ଦେଶରେ ପ୍ରଚାରିତ ହୋଇଥିଲା। କୁହାଯାଏ ସେ ବାରିକିଆଣୀ ଏହା ପରଠୁ ଆଉ କେବେ ଅଳଙ୍କାର ପିନ୍ଧିନାହାନ୍ତି। ଗାନ୍ଧୀଜୀଙ୍କ କଥାର ପ୍ରଭାବ ସାଧାରଣ ମଣିଷ ଉପରେ କିପରି ଥିଲା ଏହା ହେଉଛି ଏକ ନିଦର୍ଶନ।