ଓଡ଼ିଶାଲାଇଭ୍ ବ୍ୟୁରୋ

ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିରୁ ଇସ୍ତଫା ଦେଲେ ଭାରତର ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ବୁଧବାର ସେ ବିସିସିଆଇ ସିଓଏ ବିନୋଦ ରାୟ ଏବଂ ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କୁ ଇ-ମେଲ ଜରିଆରେ ନିଜର ଇସ୍ତଫା ପତ୍ର ଦେଇଛନ୍ତି।
କପିଲ ବିସିସିଆଇ କ୍ରିକେଟ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଥିଲେ। ତାଙ୍କ ସହ ଅଂଶୁମାନ ଗାଏକ୍ୱାଡ୍ ଓ ଶାନ୍ତା ରଙ୍ଗାସ୍ୱାମୀ ମଧ୍ୟ କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ ରହିଥିଲେ। ଏହି ତିନି ଜଣିଆ କମିଟି ଗତ ଅଗଷ୍ଟ ମାସରେ ରବି ଶାସ୍ତ୍ରୀଙ୍କୁ ଭାରତୀୟ ଦଳର ମୁଖ୍ୟକୋଚ୍ ଭାବେ ନିଯୁକ୍ତ କରିଥିଲେ।

ତେବେ କଣ ପାଇଁ ଇସ୍ତଫା ଦେଲେ କପିଳ ଦେବ, ଏହା ପଛର କାରଣ କ’ଣ?
ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ସଦସ୍ୟ ଥିବା ସଞ୍ଜୀବ ଗୁପ୍ତା କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟଙ୍କ ବିରୁଦ୍ଧରେ ଗୋଟିଏ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗ ମୂତାବିକ, ବିସିସିଆଇର ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି କେବଳ ଗୋଟିଏ ପଦରେ ନିଯୁକ୍ତ ହୋଇପାରିବ କିନ୍ତୁ କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ ଥିବା ଏହି ତିନିଜଣ ସଦସ୍ୟ ୨ରୁ ଅଧିକ ପଦରେ ନିଯୁକ୍ତ ଅଛନ୍ତି।

ସେ ଅଭିଯୋଗ କରିଥିଲେ ଯେ, କପିଳ ଦେବ କ୍ରିକେଟ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିବା ସହ ଇଣ୍ଡିଆନ୍ କ୍ରିକେଟ ଆସୋସିଏସନ(ଆଇସିଏ)ର ସଦସ୍ୟ ମଧ୍ୟ ଅଛନ୍ତି। ଏହାସହ ସେ ଗୋଟିଏ ଫ୍ଲଡଲାଇଟ୍ କମ୍ପାନିର ମାଲିକ ମଧ୍ୟ ରହିଛନ୍ତି। ସେହିପରି କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ ଥିବା ଅଂଶୁମାନ ଗାଏକ୍ୱାଡ ମଧ୍ୟ ଇଣ୍ଡିଆନ୍ କ୍ରିକେଟ ଆସୋସିଏସନ(ଆଇସିଏ)ର ସଦସ୍ୟ ମଧ୍ୟ ଅଛନ୍ତି। ଯାହା ବିସିସିଆଇ ସମ୍ବିଧାନର ଅବମାନନା କରୁଛି।
ଏହାପରେ ବିସିସିଆଇର ଆଚରଣ ଅଧିକାରୀ ଡ଼ି କେ ଜୈନ କପିଳଙ୍କ ପାଖକୁ ନୋଟିସ୍ ପଠାଇଥିଲେ। ଏହାସହ ତାଙ୍କୁ ଅକ୍ଟୋବର ୧୦ତାରିଖ ସୁଦ୍ଧା ନିଜର ଉତ୍ତର ରଖିବାକୁ ଏହି ନୋଟିସରେ କୁହାଯାଇଥିଲା। ତେଣୁ ଏହି କାରଣରୁ କପିଳ ନିଜେ ଏହି କ୍ରିକେଟ ପରାମର୍ଶଦାତା କମିଟିରୁ ଇସ୍ତଫା ଦେଇଥିବା କୁହାଯାଉଛି।

ଗତ ଅଗଷ୍ଟ ମାସରେ ତିନିଜଣିଆ କ୍ରିକେଟ ପରାମର୍ଶଦାତା କମିଟି ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟକୋଚ୍ ଚୟନ କରିଥିଲା। ଯେଉଁଥିରେ କମିଟି ରବି ଶାସ୍ତ୍ରୀଙ୍କୁ ଦଳର ମୁଖ୍ୟକୋଚ ଭାବେ ବାଛିଥିଲା। ଯାହାକୁ ନେଇ ଏବେ ବିଭିନ୍ନ ସମସ୍ୟା ଦେଖାଦେଇଛି।
ପୂର୍ବୁରୁ ମଧ୍ୟ ଦୁଇରୁ ଅଧିକ ପଦରେ ରହିବା କାରଣରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଓ ଭିଭିଏସ ଲକ୍ଷ୍ମଣ କ୍ରିକେଟ ପରାମର୍ଶଦାତା କମିଟିରୁ ଇସ୍ତଫା ଦେଇଥିଲେ।

















