ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ଯେଉଁ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସୁଛନ୍ତି ସେମାନେ ପ୍ରଥମେ ମା’ ବାଟମଙ୍ଗଳାଙ୍କୁ ଦର୍ଶନ କରିଥାନ୍ତି। ମା’ ବାଟମଙ୍ଗଳାଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କଲେ ରାସ୍ତାରେ କୌଣସି ପ୍ରତିବନ୍ଧକ ଆସିନଥାଏ ବୋଲି ବିଶ୍ୱାସ ରହିଛି। ଆରାଧ୍ୟ ଦେବୀ ମା’ ବାଟମଙ୍ଗଳାଙ୍କ ପୀଠରେ ଏବେ ଷୋଡ଼ଶ ପୂଜା ଚାଲିଛି। ଆଶ୍ୱିନ ମାସର ମୂଳାଷ୍ଟମୀ ଦ୍ୱିତୀୟ ଓସାଠାରୁ ମା’ଙ୍କ ଷୋଡଶ ପୂଜା ଆରମ୍ଭ ହୋଇଛି। ବର୍ଷ ତମାମ ମା’ଙ୍କ ପାଖରେ ଭକ୍ତମାନଙ୍କ ଭିଡ଼ ଲାଗୁଥିବା ବେଳେ ଷୋଡ଼ଶ ପୂଜା ଦେଖିବା ପାଇଁ ପ୍ରତିଦିନ ଅଧିକ ସଂଖ୍ୟାରେ ଭକ୍ତମାନେ ଆସୁଛନ୍ତି।

ଭୋର ୪ଟାରୁ ମନ୍ଦିର ଦ୍ୱାର ଫିଟାଯିବା ପରେ ମଙ୍ଗଳଆଳତି, ଅବକାଶ, ମଇଲମ ଓ ବଲ୍ଲଭଧୂପ କରାଯାଉଛି। ବାଳଭୋଗରେ ଚୁଡାଘଷା ଓ ଫଳ ଭୋଗ କରାଯାଉଛି।

ମା’ ବାଟମଙ୍ଗଳାଙ୍କୁ ଦୁଇପହର ଧୂପରେ ଅନ୍ନ,  ଘିଅ ଅନ୍ନ, ଖେଚୁଡ଼ି, ଡାଲି, ଡାଲମା, ଶାଗ, ମହୁର, ଖଟା, ଭଜା ଓ ଖିରି ଭୋଗ ଲାଗି କରାଯାଉଛି। ରାତିରେ ଖେଚୁଡ଼ି, ଡାଲମା, ଖଟା ଓ ଖିରି ଭୋଗ ଲାଗି କରାଯାଉଛି। ମା’ ବାଟମଙ୍ଗଳା ହେଉଛନ୍ତି ପରମ ବୈଷ୍ଣବୀ। ମା’ଙ୍କ ପାଖରେ ଆମିଷ ଭୋଗ କରାଯାଏ ନାହିଁ। ମା’ଙ୍କ ପାଖରେ ଷୋଳ ପୂଜା ସମୟରେ ଚଣ୍ଡୀପାଠ କରାଯାଇଥଏ।

ମା’ ବାଟମଙ୍ଗଳା ମନ୍ଦିରର କିଛି ପରମ୍ପରା ଶ୍ରୀମନ୍ଦିର ପରମ୍ପରା ସହ ଜଡିତ। ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରୁ ଲଡ଼ୁମହାପ୍ରସାଦ, କୋଠଭୋଗ ଓ ଅବଢ଼ା ଏଠାକୁ ଆସିଥାଏ ଓ ମା’ଙ୍କ ପାଖରେ ସମର୍ପଣ ହୋଇଥାଏ।

ମା’ ବାଟମଙ୍ଗଳାଙ୍କୁ ଷୋଳ ପୂଜା ସମୟରେ ବିଭିନ୍ନ ବେଶ କରାଯାଏ। ମା’ଙ୍କ ବାଳଭୋଗ ପରେ ଚନ୍ଦନ ବେଶ କରାଯାଇଥାଏ। ବଲଭଧୂପ ସମୟରେ ମା’ଙ୍କୁ ଚନ୍ଦନରେ ଚିତା ଲାଗି କରାଯାଇଥାଏ।ଏହାକୁ ମା’ଙ୍କ ଚିତା ଲାଗି ବେଶ ବୋଲି କୁହାଯାଏ। ରାତିରେ ମା’ଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହୁଏ।

ମା’ ବାଟମଙ୍ଗଳାଙ୍କୁ ଷୋଳ ପୂଜାରେ ବିଭିନ ଫୁଲ ଲାଗି ହୋଇଥାଏ। ମନ୍ଦାର, ଟଗର, ଅପରାଜିତା, ଗେଣ୍ଡୁ, ପଦ୍ମ, କଇଁ, ରଜନୀଗନ୍ଧା, ଗୋଲାପ, ଜୁଇ, ରଙ୍ଗଣୀ ଓ ଦୁବ ମା’ଙ୍କ ପାଖରେ ଲାଗି ହୋଇଥାଏ। ମା’ଙ୍କ ମସ୍ତକରେ ଦୁବର ଚୁଡା ଲାଗିହୋଇଥାଏ।

ଷୋଳ ପୂଜାକୁ ଭାସ୍କର ଚନ୍ଦ୍ର ପଣ୍ଡା, ରାଜ କିଶୋର ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଦିବାକର ପଣ୍ଡା ଓ ଦିଲ୍ଲୀପ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here