ଓଡ଼ିଶାଲାଇଭ ବ୍ୟୁରୋ
- ଚୂଡ଼ାନ୍ତ ପର୍ଯ୍ୟାୟର ୧୫ ପ୍ରତିଯୋଗୀଙ୍କୁ ପଛରେ ପକେଇଲେ ସୁରଞ୍ଜିତା
- ‘ବେଷ୍ଟ ଡ୍ରେସ୍ଅପ୍’ରେ ହେଲେ ବିଜୟୀ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ମାଟି ପାଇଁ ଗର୍ବ ଆଣି ଦେଇଛନ୍ତି ସୁରଞ୍ଜିତା। ସୁରଞ୍ଜିତା ନିକଟରେ ‘ମିସେସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍’ ପ୍ରତିଯୋଗୀତାରେ ଭାଗ ନେଇ କୃତିତ୍ଵର ସହ ସଫଳ ହୋଇଛନ୍ତି। ଏ ଖବର ସମଗ୍ର ଜିଲ୍ଲାରେ ଖୁସିର ବାତାବରଣ ଖେଳାଇ ଦେଇଛି।
କଲେଜ ଜୀବନରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସେ ପୁରସ୍କୃତ ହୋଇଛନ୍ତି। ଡ୍ରିମ୍ ପ୍ରଡକ୍ସନ ପକ୍ଷରୁ ‘ମିସେସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍’ କାର୍ଯ୍ୟକ୍ରମ ଶରଦ ଚୌଧୁରୀଙ୍କ ପ୍ରଯୋଜନାରେ ଗତ ଅଗଷ୍ଟ ମାସ ୧୮ ତାରିଖରେ ନୂଆଦିଲ୍ଲୀସ୍ଥିତ ଲୀଲା ପ୍ୟାଲେସ୍ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩୦୦ରୁ ଅଧିକ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ।
ସେପ୍ଟେମ୍ବର ୨୮ ତାରିଖରେ ଜୟପୁରସ୍ଥିତ ହେରିଟେଜ୍ ହୋଟେଲଠାରେ ଅନୁଷ୍ଠିତ ହୋଇଥିଲା ଫାଇନାଲ୍ ପ୍ରତିଯୋଗିତା। ଏଥିରେ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରୁ ‘ମିସେସ୍ ଇଣ୍ଡିଆ ବେଷ୍ଟ ଡ୍ରେସ୍ ଅପ୍’ ପୁରସ୍କାର ଗ୍ରହଣ କଲେ ବାଲେଶ୍ଵରର ଝିଅ ସୁରଞ୍ଜିତା। ଏହି ପ୍ରତିଯୋଗିତାରେ ମୁମ୍ବାଇର ବଲିଉଡ୍ କଳାକାର ରାଜବିଜୟ ସିଂ, ଉପେନ୍ ପଟେଲ, ସଫିଆ ପ୍ରମୁଖ ବିଚାରକ ରୂପେ ଯୋଗ ଦେଇଥିଲେ।
“ମୋ ମାଆ ଏବଂ ସ୍ଵାମୀ ଆଦିତ୍ୟ ରାଜଙ୍କ ପ୍ରେରଣା ଯୋଗୁଁ ମୁଁ ଏହି ସମ୍ମାନ ପାଇବା ପାଇଁ ଯୋଗ୍ୟ ହୋଇଛି” ‘ଓଡ଼ିଶାଲାଇଭ୍’କୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ସୁରଞ୍ଜିତା।
ସୁରଞ୍ଜିତା ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ସହରର ବରିଷ୍ଠ ସାମ୍ବାଦିକ ସୁକୁମାର ରଣା ଓ ତାଙ୍କ ସମାଜସେବୀ ଆରତୀ ଦାସଙ୍କ ବଡ଼ ଝିଅ। ବର୍ତ୍ତମାନ ସୁରଞ୍ଜିତା ବିବାହ କରି ଦିଲ୍ଲୀରେ ସ୍ଵାମୀଙ୍କ ସହ ରହୁଛନ୍ତି।
ସୁରଞ୍ଜିତା ବାଲେଶ୍ୱର ସହରର ବାରବାଟୀ ଉଚ୍ଚ ବାଳିକା ବିଦ୍ୟାଳୟରୁ ମ୍ୟାଟ୍ରିକରେ ଉତ୍ତୀର୍ଣ୍ଣ ହେବା ପରେ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରୁ ସ୍ନାତକ ପାସ୍ କରିଛନ୍ତି। ପରେ ଭୁବନେଶ୍ୱର, କଟକ, ବାଙ୍ଗାଲୋରଠାରେ ବିଭିନ୍ନ ବ୍ୟାଙ୍କରେ ଚାକିରି କରିଥିଲେ। ପରେ ୨୦୧୭ରେ ଦିଲ୍ଲୀସ୍ଥିତ ଏକ୍ସିସ୍ ବ୍ୟାଙ୍କର ସିନିୟର ମ୍ୟାନେଜର ଆଦିତ୍ୟ ରାଜ ଦାଶଙ୍କ ସହିତ ବିବାହ ହୋଇଥିଲା।