ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ଅବସରରେ ପୁରୀରେ ଥିବା ୩ଟି ହବିଷ୍ୟାଳି ଶିବିରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି। ଚଳିତବର୍ଷ ପୁରୀରେ ୩ଟି ହବିଷ୍ୟାଳି ଶିବିର କରାଯାଇଛି। ରେଲୱେ ଷ୍ଟେସନ ଯାତ୍ରୀ ନିବାସ, ମୋଚି ସାହି କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ର କୋଣରେ ନୂତନ ନିର୍ମିତ ହେଉଥିବା ହବିଷ୍ୟାଳି ବିଲ୍ଡିଂରେ ଏହି ଶିବିର ଖୋଲାଯାଇଛି। ହବିଷ୍ୟାଳିଙ୍କ ରହିବା, ଖାଇବା ସହ ବ୍ରତ ପାଳନ ଓ ଜଗନ୍ନାଥ ଦର୍ଶନ ନେଇ ସମସ୍ତ ବ୍ୟବସ୍ଥା ହୋଇଛି।

ହବିଷ୍ୟାଳିମାନେ ମନ୍ଦିର ଯିବା ନେଇ ମଧ୍ୟ ସ୍ଵତନ୍ତ୍ର ବସ୍‌ର ବନ୍ଦୋବସ୍ତ କରାଯାଇଛି। ବସରେ ସ୍ବେଚ୍ଛାସେବୀମାନେ ରହି ହବିଷ୍ୟାଳିଙ୍କୁ ନେବା ଆଣିବାରେ ସାହାଯ୍ୟ କରିବେ। ଏହାସହ ପ୍ରତ୍ୟେକ ହବିଷ୍ୟାଳି ଶିବିରରେ ସୂଚନା କେନ୍ଦ୍ର, ସ୍ଵାସ୍ଥ୍ୟସେବା କେନ୍ଦ୍ର, ଅଗ୍ନିଶମ ବାହିନୀ, ପୋଲିସ ସମେତ ଘରୋଇ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।

ଏହାସହ ୨୪ ଘଣ୍ଟିଆ ସୁରକ୍ଷା ଓ ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ସକାଳେ ଚା ଜଳଖିଆ ସହ ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ସେହିପରି ଦୈନିକ ପୂଜାର୍ଚ୍ଚନା ଓ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ ନେଇ ବ୍ରାହ୍ମଣ ବ୍ୟବସ୍ଥା କରାଯାଇଛି। ତେବେ ୩ହଜାର ହବିଷ୍ୟାଳି ରହିବା ନେଇ ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here