ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ ହେଲା ଦିପାବଳୀ। ଅମାବାସ୍ୟା ଅନ୍ଧାକାରକୁ ଦୀପ ଜଳାଇ ଦୂର କରାଯାଏ।
ଦିପାବଳୀ ଦିନ ପୂର୍ବଜଙ୍କୁ ଦୀପ ଦାନ କରି ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ସହ ମା’ ଲକ୍ଷ୍ମୀଙ୍କୁ ବି ଆରାଧନା କରାଯାଇଥାଏ। ଦିପାବଳୀ ପୂର୍ବରୁ ଘରକୁ ସଜାଇ ନୂଆ ପୋଷାକ, ଗହଣା ପିନ୍ଧି ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥା’ନ୍ତି ଲୋକେ।
ପୁରାଣରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ, ଦିପାବଳୀ ପର୍ବ ପଛରେ ଅନେକଗୁଡ଼ିକ ପୌରାଣିକ କାହାଣୀ ରହିଛି।
ଏହି ଦିନ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ବିବାହ ଭଗବାନ ବିଷ୍ଣୁଙ୍କ ସହ ହୋଇଥିଲା ବୋଲି କେତେକ ପୁରାଣରେ ଉଲ୍ଲେଖିତ ଥିବା ବେଳେ ମା’ଲକ୍ଷ୍ମୀ ଦିପାବଳୀ ଦିନ ଜନ୍ମ ହୋଇଥିବା କଥା ବି କେତେକ ଶାସ୍ତ୍ର କହେ।
କିନ୍ତୁ ଦିପାବଳୀ ପର୍ବ ପାଳନର ପ୍ରକୃତ ଇତିହାସ କିଛି ଅଲଗା। ଅମାବାସ୍ୟା ଦିନ ଅଯୋଧ୍ୟାର ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ସାରି ଘରକୁ ଫେରିଥିଲେ। ରାମଚନ୍ଦ୍ରଙ୍କ ଘର ବାହୁଡ଼ାକୁ ଅଯୋଧ୍ୟାବାସୀ ହର୍ଷଉଲ୍ଲାସ ସହ ପାଳନ କରିଥିଲେ। ଅମାବାସ୍ୟାର ଅନ୍ଧକାର ରାତିରେ ସାରା ଅଯୋଧ୍ୟାକୁ ଆଲୋକିତ କରି ଶ୍ରୀରାମଙ୍କୁ ସ୍ୱାଗତ ଜଣାଇଥିଲେ। ସେବେଠାରୁ ଆଜିଯାଏଁ ଅମାବାସ୍ୟାରେ ଦିପାବଳୀ ପର୍ବ ପାଳନ କରାଯାଉଛି ବୋଲି ବିଶ୍ୱାସ ରହିଛି।
ବିଭିନ୍ନ ସମ୍ପ୍ରଦାୟରେ ଦୀପାବଳି
ସବୁ ଧର୍ମର ଲୋକେ ଦିପାବଳୀକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି। କିନ୍ତୁ ହିନ୍ଦୁ, ଜୈନ, ବୌଦ୍ଧ ଓ ଶିଖ୍ ସମୁଦାୟଙ୍କ ପାଇଁ ଏହି ପର୍ବ ପାଳନର ଭିନ୍ନ ଭିନ୍ନ କାରଣ ରହିଛି। ଯେପରିକି,
ହିନ୍ଦୁ ସମ୍ପ୍ରଦାୟରେ ଶ୍ରୀରାମ ବନବାସ ସାରି ଅଯୋଧ୍ୟା ଫେରିବା ଖୁସିରେ ଦିପାବଳୀ ପାଳନ କରାଯାଏ।
ଜୈନ ସମ୍ପ୍ରଦାୟରେ ମହାବୀର ଏହିଦିନ ନିର୍ବାଣ ପ୍ରାପ୍ତ କରିଥିଲେ। ସେହିପରି ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିବା ଅବସରରେ ବୌଦ୍ଧ ସମ୍ପ୍ରଦାୟ ଦିପାବଳୀ ପାଳନ କରନ୍ତି।
ଶିଖ୍ ସମୁଦାୟ ଏହାକୁ ଶିଖ୍ ଧର୍ମ ଗୁରୁ ହର୍ଗୋବିନ୍ଦ୍ ଜୀଙ୍କ ଘରବାହାଡ଼ା ସ୍ମୃତି ଭାବେ ପାଳନ କରନ୍ତି। ଦିପାବଳୀ ଦିନ ଶିଖ୍ ଧର୍ମଗୁରୁ ହର୍ଗୋବିନ୍ଦ୍ ଜୀଙ୍କ ସହ ଅନ୍ୟ କେତେକ ହିନ୍ଦୁ ଧର୍ମ ଗୁରୁ ସମ୍ରାଟ ଜାହାଙ୍ଗିର୍ଙ୍କ ବନ୍ଦୀଶାଳାରୁ ମୁକ୍ତ ହୋଇ ଘରକୁ ବାହୁଡ଼ି ଥିଲେ।