ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ୍‌ ସୌରଭ ଗାଙ୍ଗୁଲି ଆଜି ଔପଚାରିକ ଭାବେ ବିସିସିଆଇର ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏବେ ଗାଙ୍ଗୁଲି ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଗାଙ୍ଗୁଲିଙ୍କ ଏହି ସଫଳତା ପଛରେ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲି ବେଶ୍‌ ଖୁସି ପ୍ରକାଶ କରିଛନ୍ତି।

ଡୋନାଙ୍କ କହିବା ଅନୁସାରେ ଗାଙ୍ଗୁଲି କଲେଜ ଟାଇମରେ ବି ଜଣେ ଫାଇଟର ଥିଲେ। ଜଣେ ଖେଳାଳି ଓ ଭାରତୀୟ ଟିମ୍‌ର କ୍ୟାପଟେନ ଭାବେ ସେ ସବୁବେଳେ କିଛି ନା କିଛି ନୂଆ କରିଛନ୍ତି।

ତେବେ କ୍ରିକେଟଠୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଗାଙ୍ଗୁଲିଙ୍କ କାହାଣୀ ବେଶ୍‌ ରୋମାଞ୍ଚକର ରହିଛି। ଗାଙ୍ଗୁଲିଙ୍କ ଏହି ସଫଳତା ଅବସରରେ ଆସନ୍ତୁ ଜାଣିବା ଗାଙ୍ଗୁଲି ଲଭ୍‌ଷ୍ଟୋରି ବିଷୟରେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ତାଙ୍କ ପଡ଼ୋଶୀ ଘର ଝିଅ ଥିଲେ।  ପଡ଼ୋଶୀ ହୋଇଥିବାରୁ ପିଲାବେଳୁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇ ଯାଇଥିଲା। ଦୁଇ ଜଣ ଭିନ୍ନ ଭିନ୍ନ ସ୍କୁଲରେ ପଢ଼ୁଥିଲେ ମଧ୍ୟ ଗାଙ୍ଗୁଲି ଡୋନାଙ୍କୁ ଭେଟିବା ପାଇଁ ତାଙ୍କ ସ୍କୁଲ ଯାଉଥିଲେ।

ଧୀରେ ଧୀରେ ସେମାନଙ୍କ ସଂପର୍କ ପ୍ରେମରେ ପରିଣତ ହୋଇଥିଲା। ଡୋନା ଘରଲୋକଙ୍କୁ ମିଛ କହି ଗାଙ୍ଗୁଲିଙ୍କ ମ୍ୟାଚ ଦେଖିବାକୁ ଯାଉଥିଲେ। ତେବେ ଦୁହିଁଙ୍କ ସଂପର୍କରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥିଲା। କାରଣ ଗାଙ୍ଗୁଲିଙ୍କ ପରିବାର ଧନୀ ହୋଇଥିଲା ବେଳେ ଡୋନା ସାଧାରଣ ପରିବାରର ଥିଲେ। ସେ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା। ଗାଙ୍ଗୁଲିଙ୍କ ପରିବାରକୁ ଏହା ପସନ୍ଦ ନଥିଲା।

ଫଳରେ ସେମାନଙ୍କ ସଂପର୍କ ପାଇଁ ପରିବାର ଲୋକ ରାଜି ହୋଇନଥିଲେ। କ୍ରିକେଟରେ ଭଲ ପ୍ରଦର୍ଶନ କରି ଗାଙ୍ଗୁଲି ଷ୍ଟାର ହୋଇଥିଲେ ବି ସେମାନଙ୍କ ସଂପର୍କରେ କିଛି ଫରକ ପଡ଼ିନଥିଲା।

୧୯୯୬ରେ ଗାଙ୍ଗୁଲିଙ୍କ ଇଂଲଣ୍ଡ ଗସ୍ତ ତାଙ୍କ ଜୀବନ ବଦଳେଇଥିଲା। ଇଂଲଣ୍ଡ ଯିବା ପୂର୍ବରୁ ଗାଙ୍ଗୁଲି ଡୋନାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଇଂଲଣ୍ଡରୁ ଫେରିବା ପରେ ଉଭୟ ଘର ଲୋକଙ୍କୁ ଲୁଚେଇ କୋର୍ଟରେ ମ୍ୟାରେଜ କରିଥିଲେ।

ଖୁବଶୀଘ୍ର ସେମାନଙ୍କ ଘର ଲୋକ ଏ ବିଷୟରେ ଜାଣି ପାରିଥିଲେ। ସେମାନଙ୍କ ବିବାହକୁ ସ୍ୱୀକାର କରିବାକୁ ରାଜି ହୋଇନଥିଲେ। ହେଲେ ଗାଙ୍ଗୁଲି ତାଙ୍କ ଜିଦ୍‌ରେ ଅଟଳ ଥିଲେ। ଗାଙ୍ଗୁଲିଙ୍କ ଜିଦ୍‌ ଆଗରେ ପରିବାର ଲୋକ ହାର ମାନିଥିଲେ। ୧୯୯୭ରେ ପରିବାରର ସମ୍ମତିକ୍ରମେ ଉଭୟ ବିବାହ କରିଥିଲେ।

Comment