ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱର ନୂଆ ଏୟାରପୋର୍ଟ ରାସ୍ତାରେ ‘ପରମ୍ପରା’
  • ଗାଉଁଲି ପରିବେଶର ନିଆରା ଅନୁଭୂତି ଦେଉଛି ଏହି ବୁଟିକ୍‌
  • ଗ୍ରାହକଙ୍କୁ ଆକର୍ଷିତ କରୁଛି ହାଣ୍ଡଲୁମ୍‌, ସିଲିକ୍‌, କଟନ୍‌ ଶାଢ଼ି
  • ନୂଆ ଡିଜାଇନର ଡ୍ରେସ୍‌ ବି ଗ୍ରାହକଙ୍କୁ ଟାଣୁଛି

ଭୁବନେଶ୍ଵରରେ ଖୋଲିଛି ହାଣ୍ଡଲୁମ୍‌ର ନିଆରା ବୁଟିକ୍‌ ‘ପରମ୍ପରା’। ଗ୍ରାହକଙ୍କୁ ଗାଉଁଲି ପରିବେଶ ସହିତ ପରିଚିତ କରିବାକୁ ଏକ ପ୍ରୟାସ କରାଯାଇଛି। ବୁଣାକାର ଘରକୁ ଆସି ଶାଢି ଦେଖିଲା ପରି ନିଆରା ଅନୂଭୁତି ପାଉଛନ୍ତି ଗ୍ରାହକ।

ସ୍ମାର୍ଟ ସିଟି ଭୁବନେଶ୍ଵରରେ ରହିଛି ବଡ଼ ବଡ଼ ସୋରୁମ୍ ଓ ମଲ୍। ଏହି ସବୁ ସୋରୁମ୍ ଓ ମଲ୍‌ରେ ବିଭିନ୍ନ ଡିଜାଇନର ହାଣ୍ଡଲୁମ୍‌ ଶାଢ଼ି ଓ ପୋଷାକ ମିଳୁଛି। ଏଥି ସହିତ ଓଡ଼ିଶା ସରକାର ଓ ବିଭିନ୍ନ ରାଜ୍ୟର ହ୍ୟାଣ୍ଡଲୁମ ଶାଢ଼ି ଓ ପୋଷାକ ବିକ୍ରି ପାଇଁ ଏକାଧିକ ସୋରୁମ୍ ରହିଛି। ତେବେ ଅତ୍ୟାଧୁନିକ ସୋରୁମ୍ ଢାଞ୍ଚାରୁ ବାହାରି ବୁଣାକାର ଘରର ପରିବେଶ ଥିବା ଏକ ସୁନ୍ଦର ବୁଟିକ୍‌ ପ୍ରତିଷ୍ଠା ହୋଇଛି ଭୁବନେଶ୍ଵର ଏୟାରପୋର୍ଟ ଅଂଚଳରେ। ନୂଆ ଏୟାରପୋର୍ଟ ରାସ୍ତାରେ ଥିବା ଲକ୍ଷ୍ମୀ ନିବାସରେ ଏଭଳି ଏକ ନିଆରା ବୁଟିକ୍ ଖୋଲିଛି। ଏହାର ନାଁ ରଖାଯାଇଛି ‘ପରମ୍ପରା’।

‘ପରମ୍ପରା’ରେ ରହିଛି ସମ୍ବଲପୁର, ସୋନପୁର, ମାଣିଆବନ୍ଧ, କୋଟପାଡ଼, ବରଗଡ଼ ଅଞ୍ଚଳର ପାଟ, ସିଲିକ୍‌, କଟ୍‌ନ ଶାଢ଼ି ଓ ଡ୍ରେସ। ଏଥି ସହିତ ବନାରସ୍, ଜବ୍‌ଦଲପୁର ଅଞ୍ଚଳର ପାଟ ଓ ସିଲିକ୍‌ ଶାଢ଼ି ମଧ୍ୟ ମିଳୁଛି ଏଠାରେ।

ମାତ୍ର ତିନି ମାସ ତଳେ ଗାଉଁଲି ଘର ପରି ଲାଗୁଥିବା ଏହି ପରମ୍ପରା ବୁଟିକ୍‌ ପ୍ରତିଷ୍ଠା କରିଛନ୍ତି ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତ୍ରୀ ଏଲିନା ଦାଶ। ଓଡ଼ିଶା ହାଣ୍ଡଲୁମ୍‌ର ପ୍ରଚାର ପ୍ରସାର ଏବଂ ବୁଣାକାରମାନଙ୍କୁ ସଠିକ ପାରିଶ୍ରମିକ ଦେବାକୁ ଏଭଳି ଏକ ନିଆରା ବୁଟିକ୍‌ ସେ ପ୍ରତିଷ୍ଠା କରିଛନ୍ତି ବୋଲି ଏଲିନା କହିଛନ୍ତି।

ଏହି ବୁଟିକ୍‌ରେ ତିନୋଟି କୋଠରୀ ରହିଛି। ଦୁଇଟି କୋଠରୀର କାନ୍ଥରେ ମାଟି ଲେପାଯାଇ ଗାଉଁଲି ଘରର ପରିବେଶ ସୃଷ୍ଟି କରାଯାଇଛି। ଏଥିସହିତ କାନ୍ଥରେ ଝୋଟି ପକାଯାଇ ଛଣଛପର କୁଡ଼ିଆ ଘର ପରି ମଥାଣ କରାଯାଇଛି। ଦୁଇଟି ଯାକ ବଖରାରେ ବାଇ ଚଢ଼େଇ ବସା ସାଙ୍ଗକୁ ଧାନ ପେଣ୍ଡି ଝୁଲା ଯାଇଛି।

ଏହାଛଡ଼ା ହାତବୁଣା ଘରକରଣା ସାମଗ୍ରୀ ସବୁ ରହିଛି ସେଠାରେ। ଏହି ଦୁଇ ବଖରାରେ ସୁନ୍ଦର ସୁନ୍ଦର ହ୍ୟାଣ୍ଡଲୁମ୍, ସିଲିକ୍‌, କଟନ୍‌ ଶାଢ଼ି ସବୁ ରହିଛି। ଘର ଭିତରକୁ ପ୍ରବେଶ କରିବା କ୍ଷଣି ପୁରୁଣାକାଳିଆ ଗାଉଁଲି ଘରର ଆଭାସ ମିଳୁଛି। ସେହିପରି କୋଠରୀ ଭିତରକୁ ଗଲା ପରେ ବୁଣାକାର ଘରକୁ ଆସି ଶାଢି ଦେଖିଲା ପରି ନିଆରା ଅନୂଭୁତି ପାଉଛନ୍ତି ଗ୍ରାହକ।

ନିଜ ମନ ପସନ୍ଦର ଶାଢ଼ି ଦେଖିବାକୁ ଏଠାରେ ରହିଛି ସୁଯୋଗ। ଗ୍ରାହକମାନେ ଯେଉଁ ଶାଢ଼ି ଚାହିଁବେ ସେଲ୍‌ସମ୍ୟାନ ଶାଢ଼ିଗୁଡ଼ିକୁ ଖୋଲି ଦେଖାଉଛନ୍ତି। ଶାଢ଼ି ପସନ୍ଦ ହେଲେ ପାଖରେ ଥିବା ଟ୍ରାଏଲ ରୁମକୁ ଯାଇ ଶାଢ଼ିକୁ ପରଖି ପାରିବେ। ଏହି ଟ୍ରାଏଲ ରୁମ୍ ବେଶ ବଡ ଥିବା ବେଳେ କାନ୍ଥରେ ସୁନ୍ଦର ପେଣ୍ଟିଂ ଅଙ୍କାଯାଇଛି। ଗ୍ରାହକଙ୍କୁ ଆମର ପୁରୁଣା ଗାଉଁଲି ପରମ୍ପରା ସହିତ ପରିଚିତ କରିବାକୁ ଏଭଳି ଏକ ପରିବେଶ ସୃଷ୍ଟି କରାଯାଇଛି ବୋଲି ଏଲିନା କହିଛନ୍ତି।

‘‘ଏବେ ଯୁବପିଢ଼ି ହାଣ୍ଡଲୁମ୍‌ କଣ ଜାଣୁ ନାହାନ୍ତି। ତା’ ସହିତ ମେସିନବୁଣା ଶାଢ଼ି ଅଧିକରୁ ଅଧିକ ବ୍ୟବହାର ହେଉଛି। ଫଳରେ ବୁଣାକାରମାନଙ୍କର କାରବାର ଓ ଉତ୍ସାହ କମିବାରେ ଲାଗିଛି। ତେଣୁ ଖାଣ୍ଟି ହ୍ୟାଣ୍ଡ୍‌ଲୁମ୍‌ ଶାଢ଼ି ଓ ଡ୍ରେସର ଅଭିଜ୍ଞତା ଦେବାକୁ ଏଭଳି ଏକ ବୁଟିକ୍‌ ପ୍ରତିଷ୍ଠା କରିଛି’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଏଲିନା।

ପ୍ରତିଟି ଶାଢ଼ିର ଦାମ ସଂପର୍କରେ ତାଳପତ୍ର ଟ୍ୟାଗ୍ ଲଗାଯାଇଥିବା ବେଳେ ଗ୍ରାହକଙ୍କୁ ଶାଢ଼ି ଓ ଡ୍ରେସ ଦେବାକୁ ଝୋଟରେ ତିଆରି ବ୍ୟାଗ ରଖାଯାଇଛି। କେବଳ ଓଡ଼ିଶାର ହସ୍ତତନ୍ତ ନୁହେଁ, ବରଂ ସାରା ଦେଶର ବିଭିନ୍ନ ଅଞ୍ଚଳରେ ମିଳୁଥିବା ହାତବୁଣା ଶାଢ଼ିକୁ ସଂଗ୍ରହ କରି ଏହି ବୁଟିକ୍‌ରେ ସ୍ଥାନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଏଲିନା।

‘ପରମ୍ପରା’ରେ ଗ୍ରାହକଙ୍କ ପସନ୍ଦର ଡିଜାଇନ ଶାଢ଼ି ବୁଣିକରି ଦେବାର ବ୍ୟବସ୍ଥା ରହିଛି। ଏଥିସହିତ ବିଭିନ୍ନ ଅଞ୍ଚଳର ଶାଢ଼ିର ଡିଜାଇନକୁ ମିଶାଇ ନୂଆ ଡିଜାଇନ ଶାଢ଼ି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଉଛି। ବାହାଘର ପାଇଁ ଲେହେଙ୍ଗା, ଗାଉନ୍‌, ଡ୍ରେସ୍ ସିଲାଇ ଏଠାରେ କରାଯାଉଛି। ହାଣ୍ଡଲୁମ୍‌ ଶାଢ଼ିରେ ଲଟ୍‌କଣ୍ ଲଗାଇ ଏହା କିପରି ଆହୁରି ଭଲ ଲାଗିବ ସେଥିପାଇଁ ବିଶେଷ ନଜର ଦିଆଯାଉଛି।

ପରମ୍ପରାରେ ଏଭଳି ଶାଢ଼ି ରହିଛି ଯେଉଁଥିରେ ଲକ୍ଷ୍ମୀ ପୁରାଣ ଶ୍ଳୋକ ଲେଖା ଥିବା ବେଳେ ବୋଇତ ବନ୍ଦାଣ ଓ ମନ୍ଦିରର ହାତବୁଣା ଛବି ସବୁ ରହିଛି। ଏଥିସହିତ ଶାଢ଼ିରେ କଉଡ଼ି, ଛୋଟ ଛୋଟ ଅଇନା, ରୁଦ୍ରାକ୍ଷ ଓ ପୁରୁଣା ପଇସା ଲଗାଇ ଏହାକୁ ନୂଆ ରୁପ ଦେବାକୁ ପରମ୍ପରାରେ ବ୍ୟବସ୍ଥା ରହିଛି।

ଯେଉଁଠି ଶାଢ଼ି ବୁଣା ଯାଉଛି ମୁଁ ସେ ସ୍ଥାନକୁ ନିଜେ ଯାଉଛି। ମୁଁ ନିଜେ ଶାଢ଼ି ବାଛି ଆଣୁଛି। ବୁଣାକାର ତାର ସଠିକ ପ୍ରାପ୍ୟ ପାଉ ଏହା ମୋର ଲକ୍ଷ୍ୟ। ଏଥି ସହିତ ଗ୍ରାହକ ଭଲ ଦାମରେ ଶାଢ଼ି କିଣନ୍ତୁ ବୋଲି ମୋର ଇଛା’’, କହିଛନ୍ତି ଏଲିନା।

ବଡ଼କଥା ହେଉଛି ରାଜ୍ୟ ତଥା ଦେଶ ବାହାରୁ ପର୍ଯ୍ୟଟକ ଭୁବନେଶ୍ଵର ଆସିଲେ, ପରମ୍ପରା ବୁଟିକ୍‌କୁ ଆସି ଗୋଟିଏ ଛାତ ତଳେ ସବୁ ହାତବୁଣା ଶାଢ଼ି ପାଇପାରୁଛନ୍ତି। ପରମ୍ପରା ବୁଟିକ୍‌ ସଂପର୍କରେ ଜାଣିବା ପରେ ଏବେ ସବୁ ବର୍ଗର ଗ୍ରାହକ ଶାଢ଼ି ଓ ଡ୍ରେସ୍ ନେବାକୁ ଆସୁଛନ୍ତି।

Comment