ଓଡ଼ିଶାଲାଇଭ ବ୍ୟୁରୋ
ପୁରୀ: ବିଭିନ୍ନ ଦାବି ନେଇ ପୁଣି ବୈଠକ ବର୍ଜନ କଲେ ସେବାୟତ। ଅଁଳା ନବମୀରେ ଓ ବଡ ଏକାଦଶୀ ପର୍ବରେ ଯୋଗ ଦେବେନି ସେବାୟତ। ଏଭଳି ଚରମ ନିଷ୍ପତି ନେଇଛନ୍ତି ସତ୍ୟବାଦୀ ଗୋପିନାଥଦେବ ମନ୍ଦିର ସେବାୟତ। ଚଳିତବର୍ଷ ନଭେମ୍ବର ୫ ରେ ପବିତ୍ର ଅଁଳା ନବମୀରେ ଶ୍ରୀରାଧା ପାଦ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏଥିପାଇଁ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ପ୍ରସ୍ତୁତି ବୈଠକରେ ଯୋଗ ଦେଲେନି ସେବାୟତ।
ସାକ୍ଷୀଗୋପାଳସ୍ଥିତ ଗୋପିନାଥ ମନ୍ଦିର ପାନ୍ଥଶାଳାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତାପ କୁମାର ସ୍ଵାଇଁ, ପିପିଲି ଏସଡିପିଓ ଦେବଦତ ବରାଳ, ଦେବୋତ୍ତର ବିଭାଗ ଅତିରିକ୍ତ ଆୟୁକ୍ତ ଆଶିଷ ପଟ୍ଟନାୟକ, ଜିଲ୍ଲା ସୂଚନା ଅଧିକାରୀ ଗୁରୁବିତି ସିଂ, ସତ୍ୟବାଦୀ ଥାନାଅଧିକରୀ ଶକୁନ୍ତଳା ପତି ପ୍ରମୁଖ ଉପସ୍ଥିତ ଥିଲେ।
ଅଁଳା ନବମୀରେ ଓ ବଡ ଏକାଦଶୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ବୈଠକରେ ଆଇନଶୃଙ୍ଖଳା, ଯାନବାହନ ନିୟନ୍ତ୍ରଣ, ଅଗ୍ନିଶମ ସେବା, ବ୍ୟାରିକେଟ୍ ନିର୍ମାଣ, ରାସ୍ତା ମରାମତି, ବିଦ୍ୟୁତ ସେବା, ସ୍ଵାସ୍ଥ୍ୟ, ପରିମଳ, ପାନୀୟ ଜଳ ଓ ସଫେଇ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା।
କିନ୍ତୁ ବୈଠକରେ ସେବାୟତ ଯୋଗ ଦେଇନଥିବା ଯୋଗୁଁ ଅଧିକ ଆଲୋଚନା ହୋଇପାରିନଥିଲା। ତେବେ ସେବାୟତମାନଙ୍କ ବୈଠକ ବର୍ଜନର କାରଣ ଉପରେ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପୁରୀ ଉପଜିଲ୍ଲାପାଳ ଭଵତରଣ ସାହୁ। ଏହାସହ ସବୁ କିଛି ଶାନ୍ତି ଶୃଙ୍ଖଳା ରେ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।