ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ରାତାରାତି ଗଣିତ ବଦଳି ଯାଇଛି। ଏନ୍‌ସିପି ମୁଖ୍ୟ ଶରଦ ପାୱାର ଶିବସେନାକୁ ସମର୍ଥନ କରିବା ପାଇଁ ଗୋଟି ଚଳନା କରି ଶୁକ୍ରବାର ରାତିରେ ଶୋଇଥିବା ବେଳେ ତାଙ୍କ ପୁତୁରା ଅସଲ ଖେଳ ଖେଳିଛନ୍ତି। ଉପମୁଖ୍ୟମନ୍ତ୍ରୀ ପଦ ମୋହରେ ରାତି ଅଧିଆ ବିଜେପିକୁ ସମର୍ଥନ କରିବା ଘଟଣା ଏବେ ମହାରାଷ୍ଟ୍ର ରାଜନୀତିକୁ ଗରମ କରିଛି।

ଶୁକ୍ରବାର ରାତି ୧୨ଟା ଯାଏଁ ଶରଦ ପାୱାର ଉଦ୍ଧବ ଉଦ୍ଧବ ଜପୁଥିବା ବେଳେ ୧୨ଟା ପରେ ଅଜିତ୍‌ ଫଡ୍‌ନାଭିସ୍‌ଙ୍କୁ ସମର୍ଥନ କରି ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି। ଦାଦା ଶରଦ ପାୱାରଙ୍କୁ ଚେକ୍‌ ଦେଇ ପୁତୁରା ଅଜିତ ଉପମୁଖ୍ୟମନ୍ତ୍ରୀ ପଦ ହାତେଇଛନ୍ତି।

ଚଳିତ ନିର୍ବାଚନରେ ଏନ୍‌ସିପି ୫୪ ଆସନ ପାଇଥିଲା। ଏହି ୫୪ ବିଧାୟକଙ୍କୁ ନେଇ ଶରଦ ପାୱାର ଗତ ୧୫ ଦିନ ହେଲା ରାଜନୀତି କରିଡରକୁ ହଲ୍‌ଚଲ୍‌ କରି ଆସୁଥିଲେ। ଶେଷରେ କଂଗ୍ରେସ ସହ ଆଲୋଚନା କରି ଶିବସେନାକୁ ସରକାର ଗଠନରେ ସହଯୋଗ କରିବା ପାଇଁ ଶରଦ ପାୱାର ରାଜି ହୋଇଥିଲେ।

ଶିବସେନା, କଂଗ୍ରେସ ଓ ଏନ୍‌ସିପିକୁ କେତୋଟି ଲେଖାଏଁ ମନ୍ତ୍ରୀ ପଦ ମିଳିବ ତାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇଥିଲା। କେବଳ ବାଚସ୍ପତି ପଦକୁ ନେଇ କଥାବାର୍ତ୍ତା ଅଧାରେ ରହିଥିଲା। ଶନିବାର ସକାଳେ ଏ ବିଷୟରେ ଆଲୋଚନା ହେବା ପରେ ସରକାର ଗଠନ ସମ୍ପର୍କରେ ଘୋଷଣା ହୋଇଥାନ୍ତା। କିନ୍ତୁ ତାହା ସମ୍ଭବପର ହେଲାନି। ଶୁକ୍ରବାର ଦିନ ସାରା ଦାଦା ଶରଦ ପାୱାର କଂଗ୍ରେସ ଓ ଶିବସେନା ସହ ଆଲୋଚନା କରି ରାତିରେ ବିଶ୍ରାମ ନେଉଥିବା ବେଳେ ପୁତୁରା ଅଜିତ ପାୱାର ନିଜ ପାୱାର ଦେଖାଇଥିଲେ।

ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ସହ କଥାବାର୍ତ୍ତା ହୋଇଥିଲେ। ତାଙ୍କୁ ରାତାରାତି ସମର୍ଥନ ଦେବା ପାଇଁ ଘୋଷଣା କରିଥିଲେ। ରାତିରେ ହିଁ ସେ ସବୁ କାମ କରିଥିଲେ। ଏନ୍‌ସିପିର ପ୍ରାୟ ୨୨ ଜଣ ବିଧାୟକଙ୍କ ଦସ୍ତଖତ ରାଜ୍ୟପାଳଙ୍କୁ ଦେଇଥିଲେ। ହେଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଧାୟକ ଜାଣି ନଥିଲେ ଅଜିତ ପାୱାର କ’ଣ ପାଇଁ ଦସ୍ତଖତ ନେଉଛନ୍ତି। କାରଣ ଅଜିତ ଏନ୍‌ସିପି ବିଧାୟକ ଦଳ ନେତା ଥିବାରୁ ତାଙ୍କୁ ଅନ୍ୟ ବିଧାୟକମାନେ ପ୍ରଶ୍ନ ବି କରି ନଥିଲେ।

ଏନ୍‌ସିପିର ଯେଉଁ ବିଧାୟକମାନେ ଦସ୍ତଖତ ଦେଇଥିଲେ ସେମାନଙ୍କୁ ସକାଳେ ରାଜଭବନ ଯିବାକୁ କୁହାଯାଇଥିଲା। ଅଜିତଙ୍କ ନିର୍ଦ୍ଦେଶରେ ବିଧାୟକମାନେ ରାଜଭବନ ଯାଇଥିଲେ। ହେଲେ ସେଠାରେ ରାଜ୍ୟପାଳ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠ କରାଇଥିଲେ। ରାତାରାତି ଅଜିତ ଏତେ ବଡ଼ ଖେଳ କରିଥିଲେ ତାହା ଏନ୍‌ସିପି ମୁଖିଆ ଶରଦ ପାୱାର ବି ଜାଣିପାରି ନଥିଲେ।

ସକାଳେ ଏହି ଖବର ବିଜୁଳି ବେଗରେ ଚାରିଆଡ଼େ ପ୍ରଚାରିତ ହୋଇଗଲା। ଯିଏ ଶୁଣିଲା ସିଏ ଆଶ୍ଚର୍ଯ୍ୟ ହୋଇଗଲା। ଶରଦ ପାୱାରଙ୍କ ପାଦ ତଳୁ ମଧ୍ୟ ମାଟି ଖସିଗଲା। ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାକୁ ନିନ୍ଦା କରିଥିଲେ। ଯେଉଁମାନେ ଅଜିତ ସାଙ୍ଗରେ ଯାଇଛନ୍ତି ସେମାନଙ୍କ ବିରୋଧରେ ଦଳ ବଦଳ ଆଇନ ଲାଗୁ କରାଯାଇ ସଭ୍ୟ ପଦ ରବ୍ଦ କରାଯିବ ବୋଲି ଶରଦ ପାୱାର କହିଥିଲେ। ଏପଟେ ଯେଉଁ ବିଧାୟକମାନେ ଫଡ୍‌ନାଭିସ୍‌ ଓ ଅଜିତଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ସେମାନେ ପଛରେ ଶରଦଙ୍କୁ ସମର୍ଥନ କରିଛନ୍ତି। ଫଳରେ ଦାଦା-ପୁତୁରାଙ୍କ ଭିତରେ ଲଢ଼େଇ ଜମିଛି।

ଆସନ୍ତା ୩୦ରେ ବିଧାନସଭାରେ ଫଡ୍‌ନାଭିସ୍‌ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ। ୧୭୦ ବିଧାୟକଙ୍କ ସମର୍ଥନ ଥିବା ବିଜେପି ଦାବି କରୁଛି। ଏପଟେ ଶରଦ ପାୱାର ନିଜ ବିଧାୟକଙ୍କୁ ସଭ୍ୟ ପଦ ରବ୍ଦ କରିବା ପାଇଁ ନାଲି ଆଖି ଦେଖାଇଛନ୍ତି। ମହାରାଷ୍ଟ୍ରରେ ଦାଦା-ପୁତୁରାଙ୍କ ଏହି ରାଜନୀତି ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

Comment