ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହେଉଥିବା ଅନେକ ରାସ୍ତା କାମ ଅଧାରେ ପଡ଼ିରହୁଛି। ଏପରିକି ଅନେକ ରାସ୍ତା କାମ ଠିକ୍ ଭାବେ ହେଉନାହିଁ। କେତେକ ସ୍ଥାନରେ ଠିକାଦାରମାନେ ଅଧାରୁ କାମ ବନ୍ଦ କରିଦେଇ ବସିପଡ଼ିଛନ୍ତି ବୋଲି ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ହେଉଥିବା ଅନିୟମିତତା ଉପରେ ଅସନ୍ତୁଷ୍ଟ ହୋଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ।

ସେ କହିଛନ୍ତି ଯେ, ତାଙ୍କ ନିର୍ବାଚନ ମଣ୍ଡଳୀରେ ସଡ଼କ ନିର୍ମାଣରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିଆରି ହେଉଥିବା ଅନେକ କାମ ତାଙ୍କ ନିର୍ବାଚନମଣ୍ଡଳୀରେ ଅଧାରେ ପଡ଼ିରହିଛି।

ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ଯେ, ଯେଉଁ ଠିକାଦାରମାନେ ନିଜ କାମ ଠିକ୍ ଭାବେ କରୁନାହାନ୍ତି ସେମାନଙ୍କୁ କଳାତାଲିକା ଭୁକ୍ତ କରାଯିବ। ରାଜ୍ୟର ୧୭ ହଜାରରୁ ଅଧିକ ଗାଁ’କୁ ରାସ୍ତା ନାହିଁ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧୬ ହଜାର ୨୪୧ ଗାଁରେ ରାସ୍ତା ତିଆରି କରିବାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ୮୨୯ଟି ଗାଁରେ ଏବେ ରାସ୍ତା କାମ ଚାଲୁ ରହିଛି ବୋଲି ମନ୍ତ୍ରୀ ସୁଶାନ୍ତ  ସିଂହ ଉତ୍ତର ରଖିଛନ୍ତି।

Comment