ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାରେ ଉଠିଛି ଚିନି ଝଡ଼। ରାଜ୍ୟରେ ଚିନି କଳ ବନ୍ଦ ହେବା ଓ ସରକାର ଏହାର ବିକାଶ ପାଇଁ ଉଚିତ୍ ପଦକ୍ଷେପ ନନେବାକୁ ନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।
ବିଧାନସଭାରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସମବାୟ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, “ରାଜ୍ୟରେ ଚିନିର ଉତ୍ପାଦନ ମୂଲ୍ୟଠାରୁ ବିକ୍ରି ମୂଲ୍ୟ ଯଥେଷ୍ଟ କମ୍ ରହିଛି। ଗୋଟିଏ କିଲୋ ଚିନି ଉତ୍ପାଦନ ପାଇଁ ମୋଟ୍ ୪୭ରୁ ୪୮ ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ବଜାରରେ ଚିନି କିଲୋ ମାତ୍ର ୩୨ ଟଙ୍କାରେ ବିକ୍ରି ହେଉଛି। ଏହି କାରଣ ହେତୁ ରାଜ୍ୟରେ ଚିନିକଳଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହ ଧିରେ ଧିରେ ବନ୍ଦ ହେବାକୁ ଲାଗିଛନ୍ତି। ”
ବୁଧବାର ବିଧାନସଭା ପ୍ରଶ୍ନକାଳରେ ଚିନି ପ୍ରସଙ୍ଗକୁ କେନ୍ଦ୍ର କରି ପ୍ରଥମେ କଂଗ୍ରେସର ବରିଷ୍ଠ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଥିଲେ। ବଲାଙ୍ଗିର ଦେଓଗାଁ ଅଞ୍ଚଳରେ ବନ୍ଦ ହୋଇପଡ଼ିଥିବା ବିଜୟାନନ୍ଦ ଚିନିକଳକୁ ନେଇ ନରସିଂହ ସରକାର ଉପରେ ବର୍ଷିଥିଲେ। ବନ୍ଦ ହୋଇପଡ଼ିଥିବା ଏହି ଚିନି କଳକୁ ପୁନଃଉଦ୍ଧାର କରିବାକୁ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନେଉନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ।
ଅନ୍ୟପଟେ ଗଞ୍ଜାମ କବିସୂର୍ଯ୍ୟନଗରର ବିଜେଡି ବିଧାୟିକା ଲତିକା ପ୍ରଧାନ ମଧ୍ୟ ଆସ୍କା ଚିନିକଳର ଲଗାତାର କ୍ଷତିକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଖୁ ଚାଷୀଙ୍କ ପାଇଁ ଆସ୍କା ଚିନି କଳ ବେଶ୍ ସହାୟକ ହେଉଥିବାବେଳେ ଚିନିକଳର କ୍ଷତି ଚାଷୀଙ୍କ ଉପରେ ପ୍ରଭାବ ପକାଉଛି ବୋଲି କହିଛନ୍ତି ବିଧାୟିକା। ଏହାସହ ଆଖୁ ଚାଷୀଙ୍କୁ ଫସଲ ବୀମାର ବ୍ୟବସ୍ଥାକୁ କରିବାକୁ ମନ୍ତ୍ରୀଙ୍କୁ ଜଣାଇଥିଲେ।
ତେବେ ଏନେଇ ସରକାର ଚିନିକଳମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି। ରାଜ୍ୟରେ ଆଖୁ ଚାଷୀମାନଙ୍କୁ ମଧ୍ୟ ସରକାରଙ୍କ ତରଫରୁ ସାର ଯୋଗାଇଦିଆଯାଉଛି ବୋଲି ସମବାୟ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି।















