ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରିରୁ ଷ୍ଟେଟ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ପାଇଁ ଚେକ ଦେଣ ଉପରେ ପଇସା ପଡ଼ିବ।
ଷ୍ଟେଟ୍ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡଧାରୀଙ୍କୁ ଝଟ୍କା। ନୂଆବର୍ଷଠାରୁ ଏସ୍ବିଆଇ କ୍ରେଡିଟ୍ କାର୍ଡ ଲାଗି ଚେକ୍ ଜରିଆରେ ପେମେଣ୍ଟ୍ କଲେ ଦେୟ ଦେବାକୁ ପଡ଼ିବ।
ଆପଣ ଚେକ୍ ଜରିଆରେ ଯଦି କ୍ରେଡିଟ୍ କାର୍ଡ ପେମେଣ୍ଟ କରୁଛନ୍ତି, ତେବେ ୧୦୦ ଟଙ୍କା ଦେୟ ଦେବାକୁ ପଡ଼ିବ। ଏହା ସହିତ ଜିଏସ୍ଟି ୧୮ ଟଙ୍କା ମିଶାଇ ପେମେଣ୍ଟ ବାବଦକୁ ମୋଟ ୧୧୮ ଟଙ୍କା ଦେୟ ଆପଣଙ୍କୁ ଦେବାକୁ ପଡ଼ିବ।

ଏହି ନିଷ୍ପତ୍ତି ଯୋଗୁଁ ବିଶେଷକରି ନେଟ୍ ବ୍ୟାଙ୍କିଙ୍ଗ ସହିତ ପରିଚିତ ନଥିବା ବରିଷ୍ଠ ନାଗରିକମାନେ ଏଥିରେ ପ୍ରଭାବିତ ହେବେ। ବରିଷ୍ଠ ନାଗରିକମାନେ କ୍ରେଡିଟ୍ କାର୍ଡ ପାଇଁ ବହୁଳ ଭାବେ ଚେକ୍ ପେମେଣ୍ଟର ବ୍ୟବହାର କରିଥାନ୍ତି। ତେବେ ଆଗାମୀ ନୂଆବର୍ଷଠାରୁ ଏମାନଙ୍କୁ ୧୧୮ ଟଙ୍କାର ଅତିରିକ୍ତ ଦେୟ ଦେବାକୁ ପଡ଼ିବ।
ପୂର୍ବରୁ କ୍ରେଡିଟ୍ କାର୍ଡ ଲାଗି ଚେକ୍ ପେମେଣ୍ଟ୍ରେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ୁନଥିଲା। ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ, ଏସ୍ବିଆଇ କ୍ରେଡିଟ୍ କାର୍ଡଧାରୀଙ୍କୁ ଅତିରିଙ୍କ ଦେୟ ଗଣିବାକୁ ପଡ଼ିବ।
ସୂଚନାଯୋଗ୍ୟ, ଷ୍ଟେଟ୍ ବ୍ୟାଙ୍କ୍ ହେଉଛି ଦେଶର ସର୍ବବୃହତ ବ୍ୟାଙ୍କମାନଙ୍କ ମଧ୍ୟରେ ଅନ୍ୟତମ। ସାରା ଦେଶରେ ୧୩୦ଟି ସହରରେ ଷ୍ଟେଟ୍ ବ୍ୟାଙ୍କର ଶାଖା ରହିଥଇବା ବେଳେ ପ୍ରାୟ ୯୦ ଲକ୍ଷ ଗ୍ରାହକ ଅଛନ୍ତି। ପୂର୍ବରୁ ମଧ୍ୟ ଷ୍ଟେଟବ୍ୟାଙ୍କ ଏଭଳି ଅନେକ ନୂଆ ନୂଆ ଚାର୍ଜ ଗ୍ରାହକଙ୍କ ଉପରେ ପକାଇ ଆସିଛି।








