ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ଆଜି ହେଉଛି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଆଜିର ଦିବସରେ ଯଶୋଦା ମା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି। ଏହି ଅବସରରେ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଛି। ରାଧାକୃଷ୍ଣଙ୍କ ପାଖରେ ପ୍ରାୟ ୬୭୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି।

ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣଙ୍କ ବିଶେଷ ନୀତି ଥିବାବେଳେ ଆଜି ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବାର ପ୍ରଥା ରହିଛି। ଦ୍ୱାପର ଯୁଗରେ ମା ଯଶୋଦା କୃଷ୍ଣଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେବାର କିମ୍ବଦନ୍ତୀ ଅଛି। ସେହି ପରମ୍ପରାକୁ ପାଳନ କରିବାକୁ ଯାଇ କୃଷ୍ଣ ଭକ୍ତମାନେ ଆଜିର ଦିନରେ ବିଶେଷ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରିଥାନ୍ତି।

ପୁରୀରେ ଥିବା ଗୌରବିହାର ଆଶ୍ରମରେ ଏହି ବ୍ୟଞ୍ଜନ ସବୁ ପ୍ରାୟ ୫୦ରୁ ଅଧିକ ପାଚକ ପାଚିକାଙ୍କ ସହାୟତାରେ ମହନ୍ତ ସୁବଳ ମହାରାଜଙ୍କ ତତ୍ତ୍ୱାବଧାନରେ ୬୭୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରକାରର ଚଟଣି, ଅର୍ଣ୍ଣ, ଶତାଧିକ ପ୍ରକାରର ତରକାରୀ, ପାମ୍ପଡ଼, ରାଇତା ସହ କ୍ଷୀରି ଆଦି ଭୋଗ ପ୍ରସ୍ତୁତ ହୋଇଥିଲା।

ସ୍ୱତନ୍ତ୍ର ଖଲି ପତ୍ରରେ ଏହି ବ୍ୟଞ୍ଜନ ସବୁକୁ ପରସା ଯାଇଥିଲା। ଭକ୍ତମାନେ ଏତେପ୍ରକାରର ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟମନେ କରିଥିଲେ। ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ପୁରୀ ଗୌରବିହାର ଆଶ୍ରମ ବେଶ ଚଳଚଞ୍ଚଳ ହୋଇ ପଡ଼ିଥିଲା।

















