ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଆସନ୍ତା ଡିସେମ୍ବର ୩୧ ପରଠୁ ଦେଶରେ ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦ ହେଇଯିବ। ଏଭଳି ଖବର ଶୁଣିବା ପରେ ଲୋକମାନଙ୍କ ଛାତିରେ ପୁଣି ଛନକା ପଶିଛି। ଭାଇରାଲ ମେସେଜ୍‌ରେ କୁହାଯାଉଛି କି, ନୂଆ ବର୍ଷରୁ ଦେଶରେ ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦ ହୋଇଯିବ ଏବଂ ତା’ ବଦଳରେ ନୂଆ ୧ ହଜାର ଟଙ୍କିଆ ନୋଟ୍‌ ଚାଲୁ ହେବ। ତେବେ ଏହି ଖବରରେ କେତେ ଦୂର ସତ୍ୟତା ରହିଛି?

ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ କଥା ଯାଇ ଲୋକସଭାରେ ପହଞ୍ଚିଛି। ମଙ୍ଗଳବାର ଲୋକସଭାରେ ଚର୍ଚ୍ଚା ଚାଲୁଥିବା ବେଳେ ଏହି ପ୍ରସଙ୍ଗକୁ ଉଠାଇଥିଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର। ରାଷ୍ଟ୍ରମନ୍ତ୍ରୀ ଏହି ଖବରକୁ ଏକ ଗୁଜବ ବୋଲି କହିଛନ୍ତି। ୨ ହଜାର ଟଙ୍କା ନୋଟ୍‌ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ କୌଣସି ବିଚାର ନାହିଁ ବୋଲି ସେ କହିଛନ୍ତି।

ଅନୁରାଗ ଠାକୁର କହିଛନ୍ତି, “ବଜାରରେ ବର୍ତ୍ତମାନ ୨ ହଜାର ଟଙ୍କା ଯେମିତି ଚାଲୁଛି ଆଗକୁ ମଧ୍ୟ ସେମିତି ଚାଲିବ। ଏହାକୁ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ। ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ଏହି ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା।”

ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ ପରେ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ଜଣାପଡ଼ିଛି। ନୂଆ ବର୍ଷଠାରୁ ୨ ହଜାର ନୋଟ୍‌ ବନ୍ଦ ହେବ ନାହିଁ ବୋଲି ଅନୁରାଗ ଠାକୁର ସିଧାସଳଖ କହିଛନ୍ତି।

ବିଦେଶରେ ଗଚ୍ଛିତ କଳାଧନ ଉପରେ ରୋକ ଲାଗାଇବା ପାଇଁ ୨୦୧୬ ମସିହା ନଭେମ୍ବର ୮ ତାରିଖରେ ଦେଶରେ ୫୦୦ ଏବହ ୧ ହଜାର ଟଙ୍କା ନୋଟ୍‌ ବନ୍ଦ ହୋଇଯାଇଥିଲା। ଏହାପରେ ସରକାର ନୂଆ ୨ ହଜାର ଟଙ୍କା ନୋଟ୍‌ ଆରମ୍ଭ କରିଥିଲେ। ତେବେ ଏହି ସମୟରେ ସାରା ଦେଶ ଏଟିଏମ୍‌ ଆଗରେ ନଜର ଆସିଥିଲା। ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ ୨ ହଜାର ଟଙ୍କା ବନ୍ଦ ହେବା ଗୁଜବ ଶୁଣିବା ପରେ ଲୋକଙ୍କ ଛାତିରେ ପୁଣି ଛନକା ପଶିଛି।

Comment