ଓଡ଼ିଶାଲାଇଭ୍ ବ୍ୟୁରୋ

ଏଲିଟ୍ ଗ୍ରୁପ୍ ‘ସି’ ରଣଜୀ ମ୍ୟାଚ୍ରେ ଓଡ଼ିଶା ବିଜୟ ଲାଭ କରିଛି। ଏକ ଇନିଂସ ଓ ୩ ରନରେ ଛତିଶଗଡ଼କୁ ହରାଇଲା ଓଡ଼ିଶା ।
ଛତିଶଗଡ଼ ରାୟପୁରରେ ଖେଳାଯାଉଥିବା ଏଲିଟ୍ ଗ୍ରୁପ୍ ‘ସି’ର ପ୍ରଥମ ମ୍ୟାଚରେ ଓଡ଼ିଶା ଘରୋଇ ଛତିଶଗଡ଼କୁ ଏକ ଇନିଂସ ଓ ୩ ରନ୍ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି। ପ୍ରଥମ ଇନିଂସରେ ୮୧ ରନ୍ରେ ପଛୁଆ ଥିବା ଛତିଶଗଡ଼ ଟିମ୍ ତୃତୀୟ ଦିନରେ ତା’ର ଅସମାପ୍ତ ଦ୍ୱିତୀୟ ଇନିଂସ ଏକ ୱିକେଟରେ ୪୫ରନ୍ରୁ ଖେଳ ଆରମ୍ଭ କରିଥିଲା। ତେବେ ଓଡ଼ିଶା ଟିମ୍ର ପେସ୍ ବୋଲରଙ୍କ ଘାତକ ବୋଲିଂ ଆଗରେ ଛତିଶଗଡ଼ ଟିମ୍ର ବ୍ୟାଟିଂ ଲାଇନ୍ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।

ପୂରା ଟିମ୍ ଆଉ ୩୩ ରନ୍ ଯୋଗ କରି ୭୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଓଡ଼ିଶା ପକ୍ଷରୁ ଦ୍ୱିତୀୟ ଇନିଂସରେ ପେସ୍ ବୋଲ୍ର ରାଜେଶ ମହାନ୍ତି ୪ଟି, ସୂର୍ଯ୍ୟକାନ୍ତ ପ୍ରଧାନ ୪ଟି ଏବଂ ବସନ୍ତ ମହାନ୍ତି ୨ଟି ୱିକେଟ ଅକ୍ତିଆର କରି ନେଇଥିଲେ। ଏହି ବିଜୟ ଫଳରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚରୁ ଗୋଟିଏ ବୋନସ ପଏଣ୍ଟ ସହିତ ୭ ପଏଣ୍ଟ ପାଇଛି। ଏହି ମ୍ୟାଚରେ ଛତିଶଗଡ଼ ପ୍ରଥମ ଇନିଂସରେ ୧୩୪ ରନ୍ କରିଥିବା ବେଳେ ଓଡ଼ିଶା ତା’ର ପ୍ରଥମ ଇନିଂସରେ ସୁଜିତ ଲେଙ୍କା ଅର୍ଦ୍ଧଶତକ ବଳରେ ୯ ୱିକେଟରେ ୨୧୫ ରନ୍ କରିଥିଲା। ମ୍ୟାଚ୍ରେ ମୋଟ ୧୦ ୱିକେଟ ନେଇଥିବା ପେସ୍ବୋଲର ରାଜେଶ ମହାନ୍ତିଙ୍କୁ ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି ।








