ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ମୋ ନାଁ ରାହୁଲ ସବରକର ନୁହେଁ, ମୋ ନାଁ ହେଉଛି ରାହୁଲ ଗାନ୍ଧୀ। ମୁଁ କ୍ଷମା ମାଗିବି ନାହିଁ’’ – ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଶିବସେନା। ସବରକରଙ୍କୁ ଅପମାନିତ କରନାହିଁ କହି ଶିବସେନା ସାଂସଦ ସଞ୍ଜୟ ରାୱତ ଟୁଇଟ୍ କରିଛନ୍ତି।
ଝାଡ଼ଖଣ୍ଡର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ‘ମେକ୍ ଇନ୍ ଇଣ୍ଡିଆ’ କୁ ‘ରେପ୍ ଇନ୍ ଇଣ୍ଡିଆ’ କହିଥିଲେ। ଏହି ମନ୍ତବ୍ୟକୁ ନେଇ ବିଜେପି ସଂସଦରେ ହଙ୍ଗାମା କରିଥିଲା। ଏପରିକି ରାହୁଲ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିଲା।
ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ କଂଗ୍ରେସର ‘ଭାରତ ବଞ୍ଚାଅ’ ଆନ୍ଦୋଳନରେ ରାହୁଲ ବିଜେପିକୁ କଡ଼ା ଜବାବ ଦେଇଥିଲେ। ସେ କହିଥିଲେ, ‘‘ମୁଁ କ୍ଷମା ମାଗିବି ନାହିଁ। କାରଣ ମୋ ନାଁ ରାହୁଲ ସବରକର ନୁହେଁ, ରାହୁଲ ଗାନ୍ଧୀ।’’
ଏହି ମନ୍ତବ୍ୟକୁ ନେଇ ଶିବସେନା ପ୍ରତିକ୍ରିୟା ପ୍ରକାଶ କରିଛି। ଟୁଇଟ୍ କରି ଶିବସେନା ସାଂସଦ ସଞ୍ଜୟ ରାୱତ କଡ଼ା ଜବାବ ଦେଇଛନ୍ତି।
‘‘ଆମେ ପଣ୍ଡିତ ନେହେରୁ ଏବଂ ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରୁ। ଏଣୁ ତୁମେ ସବରକରଙ୍କୁ ଅସମ୍ମାନ କରନାହିଁ। ବୀର ସବରକର କେବଳ ମହାରାଷ୍ଟ୍ରର ନୁହନ୍ତି, ସେ ସାରା ଦେଶର ଗର୍ବ।’’
ସବୁଠୁ ବଡ଼ କଥା ହେଉଛି ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନ୍ସିପିର ମିଳିତ ସରକାର ଚାଲିଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ଅଛନ୍ତି। ହେଲେ ‘ସବରକର’ ମନ୍ତବ୍ୟକୁ ନେଇ ଶିବସେନା ଯେଉଁ କଡ଼ା ଆଭିମୁଖ୍ୟ ଦେଖାଇଛି ମହାରାଷ୍ଟ୍ରରେ ମେଣ୍ଟ ସରକାର ଅଡୁଆରେ ପଡ଼ିପାରେ ବୋଲି କୁହାଯାଉଛି।


















