ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଲମ୍ବିତ ମେଟ୍ରନ୍‌ଙ୍କ ପୁନଃ ନିଯୁକ୍ତି ଦାବି କରି ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଜିଲ୍ଲା ମେଟ୍ରନ ସଂଘର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ।

ଗତ ଅକ୍ଟୋବର ମାସରେ ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାନଡ଼ା ଏସଏସବି ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ପରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଛାତ୍ରୀ ନିବାସରେ କାର୍ଯ୍ୟରତ ଦୁଲାରୀ ମାର୍ଣ୍ଡି ନାମକ ମେଟ୍ରନଙ୍କୁ କାରଣ ଦର୍ଶାଅ ନୋଟିସ ବିନା କାର୍ଯ୍ୟରୁ ନିଲମ୍ବନ କରିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ମଙ୍ଗରାଜ।।

ଛାତ୍ରୀ ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ମେଟ୍ରନ ତାଙ୍କୁ ମେଡିସିନ ଖାଇବା ପାଇଁ ଦେଇଥିଲେ। ପରେ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଲାରୀଙ୍କୁ କେଉଁ କାରଣରୁ ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟରୁ ନିଲମ୍ବନ କରାଇଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଂଘ।

ସେହିପରି କୌଣସି ନୋଟିସ ନ ଦେଇ ଏକତରଫା ଭାବେ କାର୍ଯ୍ୟରୁ ନିଲମ୍ବନ କରାଯିବା ଆଇନର ବିରୁଧାଚରଣ କରାଉଛି ବୋଲି ସଂଘ ଅଭିଯୋଗ ହୋଇଛି। ମେଟ୍ରନ ସଂଘର ନେତା ଅସୀମା ଭାରତୀ ସିଂ ଦୁଲାରୀଙ୍କୁ ନିଜର ପକ୍ଷ ରଖିବା ନିମନ୍ତେ ସୁଯୋଗ ଦିଆ ନଯିବାକୁ ମଧ୍ୟ ନିନ୍ଦା କରିଥିଲେ।

ଏହି ଘଟଣାରେ ଦୁଲାରୀକୁ ଦାୟୀ କରାଯାଇଥିବା ବେଳେ କାହିଁକି ପ୍ରଧାନ ଶିକ୍ଷକ, ହଷ୍ଟେଲ ସୁପାରିଟେଣ୍ଡଣ୍ଟ ଓ ସହକାରୀ ସୁପାରିଟେଣ୍ଡଣ୍ଟ ବାଦ୍‌ ପଡ଼ିଲେ ବୋଲି ପ୍ରଶ୍ନ କରିଛି ସଂଘ। ଏହାସହ ଆଜି ସଂଘ ପକ୍ଷରୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ପୁନଃ ନିଯୁକ୍ତି ଦାବି କରି ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି।

Comment