ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୋହିତ ଶର୍ମା ଏବଂ କେ ଏଲ୍‌ ରାହୁଲଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ୩୮୭ ରନ୍‌ର ବିଶାଳ ସ୍କୋର ହାସଲ କରିଛି। ବୁଧବାର ବିଶାଖାପାଟଣାରେ ଚାଲୁଛି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌। ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଦଳ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୩୮୭ର ବିଶାଳ ସ୍କୋର କରିଛି।

ଭାରତୀୟ ଦଳ ପକ୍ଷରୁ ଓପନର ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୩୮ ବଲ୍‌ରେ ୧୫୯ ରନ୍‌ ସଂଗ୍ରହ କରିଛନ୍ତି। ସେହିପରି କେ ଏଲ୍‌ ରାହୁଲ ୧୦୨(୧୦୪), ଶ୍ରିୟାସ ଆୟର ୫୩(୩୨), ରିଷଭ ପନ୍ତ ୩୯(୧୬) ରନ୍‌ ସଂଗ୍ରହ କରିଛନ୍ତି। ତେବେ ଆଜିର ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ଖାତା ଖୋଲି ନପାରି ପ୍ରଥମ ବଲ୍‌ରେ ଆଉଟ୍‌ ହୋଇ ପାଭିଲିଅନ ଫେରିଥିଲେ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ସେଲ୍‌ଡନ୍‌ କର୍ଟେଲ୍‌ ସର୍ବାଧିକ ୨ଟି ୱିକେଟ୍‌ ସଂଗ୍ରହ କରିଛନ୍ତି। ସେହିପରି ଅଧିନାୟକ କିରନ ପୋଲାର୍ଡ, କିମୋ ପଲ୍‌ ଏବଂ ଜୋସେଫ୍‌ଙ୍କ ଖାତାରେ ଗୋଟିଏ ଲେଖାଏଁ ୱିକେଟ୍‌ ପଡ଼ିଛି। ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୫ ୱିକେଟ୍‌ ହରାଇ ୩୮୭ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍‌ ଆଗରେ ୩୮୮ ରନ୍‌ର ବିଜୟଲକ୍ଷ୍ୟ।

Comment