ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ମାସ ୨୦ ତାରିଖରେ ଭୁବନେଶ୍ୱରରେ ଖୋଲିବ ଉତ୍କଳ କନିକା ଗ୍ୟାଲେରିଆ ସପିଙ୍ଗ୍ ମଲ୍। ଭୁବନେଶ୍ୱର କଳ୍ପନା ଛକ ନିକଟରେ ଏହି ମଲ୍ ଖୋଲିବା ନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ମଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଉତ୍କଳ ବିଲଡର୍ସ ଦ୍ୱାରା ୨ ଲକ୍ଷ ୫୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଏହି ମଲରେ ଲୋକମାନେ ଆନ୍ତର୍ଜାତୀୟ ସ୍ତରର ସୁବିଧାସୁଯୋଗ ପାଇପାରିବେ। ଏହାସହ ଏଠାରେ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ, ଫେସନ୍ ସାମଗ୍ରୀ ଓ ମନୋରଞ୍ଜନ ସାମଗ୍ରୀ ମଧ୍ୟ ପାଇପାରିବେ ବୋଲି କୁହାଯାଇଛି।

ମଲକୁ ନେଇ ଉତ୍କଳ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ୍ୟ କହିଛନ୍ତି ଯେ, ଏହି ମଲ୍ ଲୋକମାନଙ୍କୁ ଅନ୍ତର୍ଜାତୀୟ ମାନର ସପିଙ୍ଗ୍ ସୁବିଧା ଦେଇପାରିବ। ସରକାର ମଲ୍ ଗୁଡ଼ିକର ପ୍ରତିଷ୍ଠା ଓ ପରିଚାଳନାରେ ବେଶ୍ ସହାୟକ ହେଉଛନ୍ତି। ସେଥିପାଇଁ ଦିନକୁ ଦିନ ରାଜଧାନୀରେ ଅନେକ ମଲ୍ ଖୋଲିବା ଆରମ୍ଭ ହୋଇଛି। ଏହାସହ ଉତ୍କଳ କନିକା ମଲ୍ ଲୋକମାନଙ୍କୁ ନିଯୁକ୍ତି ସୁବିଧା ଯୋଗାଇପାରୁଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।

ଉତ୍କଳ କନିକା ମଲରେ ଭୁବନେଶ୍ୱରର ବିଭିନ୍ନ ନାମିଦାମୀ ଷ୍ଟୋର ମଧ୍ୟ ସ୍ଥାନ ପାଇବ। ଏଥିରେ ହୋମଲେଜ୍, ଟାଇମ ଜୋନ୍, ଏମଏସି, ଫରେଷ୍ଟ ଏସେନସିଆଲ୍, ଡା ମିଲାନୋ, ଜିମି ଭୋଗ ଭଳି ଅନେକ କମ୍ପାନିର ସାମଗ୍ରୀ ମିଳିପାରିବ । ଲୋକମାନେ ମଲ୍ ବୁଲି ସପିଙ୍ଗ୍ କରିବା ସହ ଏଠାରେ ଥିବା ଫୁଡକୋର୍ଡର ମଜା ମଧ୍ୟ ଉଠାଇପାରିବେ। ଏହି ଫୁଡକୋର୍ଟରେ ପିଜ୍ଜା ହଟ ଠାରୁ ଆରମ୍ଭ କରି ବର୍ଗର ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ପଦାର୍ଥ ମିଳିପାରିବ ବୋଲି କୁହାଯାଇଛି।

ଅନ୍ୟପଟେ ମଲଟି ବିମାନ ବନ୍ଦର ଓ ଜନପଥ ନିକଟରେ ଥିବାରୁ ଏହା ସହରର ଲୋକମାନଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ମଲର ଚିଫ୍ ମେକାନିକ୍ ସୁନୀଲ ଦୁଙ୍ଗରୱାଲ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନଙ୍କ ପାଖରେ ସେମାନେ ସମସ୍ତ ପ୍ରକାର ସୁବିଧାସୁଯୋଗ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ସପିଙ୍ଗ୍ ମଲ୍ ଲୋକମାନଙ୍କୁ ସପିଙ୍ଗ୍ ସୁବିଧା ସୁଯୋଗ ପ୍ରଦାନ କରିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ଏହି ମଲରେ ମୋଟ୍ ୬୦୦ ଜଣ ଲୋକ ନିଯୁକ୍ତି ପାଇପାରିବେ ବୋଲି ମଲ୍ ପକ୍ଷରୁ କୁହାଯାଇଛି।

Comment