ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ରେ ରାଜଧାନୀ ଭୁବନେଶ୍ୱର କେମିତି କ୍ରୀଡ଼ା ରାଜଧାନୀର ମାନ୍ୟତା ପାଇବା ସହ ହକି ପାଇଁ ନୂଆ ପରିଚୟ ଆଣିଛି ଜାଣନ୍ତୁ ଓଡ଼ିଶାଲାଇଭର ‘ଫ୍ଲାସ୍ ବ୍ୟାକ୍- ୨୦୧୯’ ରିପୋର୍ଟରେ।
(ଭୁବନେଶ୍ୱରରୁ ତୁଷାର ସାମନ୍ତରାୟ): ‘ମାଇଁ ହାର୍ଟ ବିଟ୍ ଫର ହକି’, ‘ଚକ୍ ଦେ ଇଣ୍ଡିଆ’, ‘ଜୟ ହୋ’ ଭଳି ଧ୍ୱନିରେ କମ୍ପି ଉଠିଥିଲା କଳିଙ୍ଗ ହକି ଷ୍ଟାଡିୟମ। ୨୦୧୯ ମସିହା ଆରମ୍ଭ ହେବାକୁ ଆସୁଥିବା ବେଳେ ହକି ଫିଭରରେ ବାୟା ହୋଇଥିଲା ସାରା ଓଡ଼ିଶା। ପ୍ରଶାସକଠାରୁ ଆରମ୍ଭ କରି ଦର୍ଶକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ହକିକୁ ନେଇ ଦେଖାଯାଇଥିଲା ଅପୂର୍ବ ଆଗ୍ରହ।୨୦୧୯ ନୂଆ ବର୍ଷକୁ ଆଉ ମାତ୍ର ଦିନ କେଇଟା ବାକି ଥାଏ। ଓଡ଼ିଶାରେ ଆୟୋଜନ ହୋଇଥିଲା ପୁରୁଷ ହକି ବିଶ୍ୱକପ। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଗେଇ ଚାଲିଲା ଆୟୋଜନର ସମସ୍ତ କାର୍ଯ୍ୟକଳାପ। କଳିଙ୍ଗ ଷ୍ଟାଡିୟମର ହେଲା ନବକଳେବର। ହକି ଷ୍ଟାଡିୟମର ଦର୍ଶକ କ୍ଷମତାଠୁ ଆରମ୍ଭ କରି ଟର୍ଫ ପର୍ଯ୍ୟନ୍ତ ସବୁଥିରେ କରାଯାଇଥିଲା ଆମୂଳଚୂଳ ପରିବର୍ତ୍ତନ।ହକି ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା ସାରା ରାଜଧାନୀ। ରାଜଧାନୀରେ ଚାରିଆଡ଼େ ନୂଆ ନୂଆ ଚିତ୍ର ସହ ରାଜଧାନୀ ରାଜରାସ୍ତାରେ ଗଡ଼ିବାକୁ ଆରମ୍ଭ କରିଥିଲା ନୂଆ ନୂଆ ବସ। ରାସ୍ତାଘାଟଠୁ ଆରମ୍ଭ କରି ହୋଟେଲ ରୁମ୍ ପର୍ଯ୍ୟନ୍ତ ସବୁଥିରେ ଦେଖିବାକୁ ମିଳିଥିଲା ରାଜଧାନୀର ନୂଆ ରୂପ। ଦେଶବିଦେଶର ବିଭିନ୍ନ ଖେଳାଳିମାନଙ୍କର ଆଗମନରେ ପୁରି ଉଠିଥିଲା ରାଜଧାନୀ। ବଲିଉଡ ନାୟକଠାରୁ ଗାୟକ ପର୍ଯ୍ୟନ୍ତ ସମସ୍ତେ ଛୁଟି ଆସିଥିଲେ ରାଜଧାନୀ ଭୁବନେଶ୍ୱରକୁ।ଏହାପରେ ସଫଳ ଭାବେ ଆୟୋଜନ ହୋଇଥିଲା ପୁରୁଷ ହକି ବିଶ୍ୱକପ। ନୂଆ ବର୍ଷକୁ ଆରମ୍ଭ କରିବା ପୂର୍ବରୁ ହକି ବିଶ୍ୱକପ ଦେଖିଥିଲେ ଓଡ଼ିଶାବାସୀ। ବାସ୍ ଏହାପରେ ୨୦୧୯ ମସିହାରୁ ଓଡ଼ିଶାକୁ ଦିଆଗଲା କ୍ରୀଡ଼ା ରାଜଧାନୀର ମାନ୍ୟତା। ହକିର ନୂଆ ହବ୍ ହେବାର ଗୌରବ ଅର୍ଜନ କରିଥିଲା କଳିଙ୍ଗ ଷ୍ଟାଡିୟମ। ସାରା ଭାରତରେ ସବୁ ହକି ଷ୍ଟାଡିୟମ ଭିତରେ ହକି ଇଣ୍ଡିଆକୁ ପସନ୍ଦ ଆସିଥିଲା କଳିଙ୍ଗ ହକି ଷ୍ଟାଡିୟମ। ଏପରିକି ହକି ବିଶ୍ୱକପକୁ ଆୟୋଜନ କରିବାରେ ଓଡ଼ିଶା ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଥିଲା ହକି ଇଣ୍ଡିଆ।୨୦୧୯ ମସିହାରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ପୁଣି ସେହିପରି ହକିର ଜଲୱା ଦେଖିବାକୁ ମିଳିଥିଲା। ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ କରିବା ପରେ କଳିଙ୍ଗରେ ପୁଣି ଆୟୋଜନ ହୋଇଥିଲା ପୁରୁଷ ହକି ସିରିଜ ଫାଇନାଲ୍ସ। ପୁଣିଥରେ ରାଜଧାନୀକୁ ଲାଗିଥିଲା ହକିର ଫିଭର। ଦର୍ଶକଙ୍କ ଭରପୂର ଗହଳିରେ ପୁଣି ପୂରି ଉଠିଥିଲା କଳିଙ୍ଗ ଷ୍ଟାଡିୟମ। ଲଗାତାର ଦୁଇ ଦୁଇଟି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଚର୍ଚ୍ଚାକୁ ଆସିଥିଲା କଳିଙ୍ଗ ଷ୍ଟାଡିୟମ।
ଏହାପରେ ପୁଣି ଥରେ ଅକ୍ଟୋବର ମାସରେ କଳିଙ୍ଗକୁ ଲେଉଟିଥିଲା ହକି ମାଣିଆ। ଉଭୟ ପୁରୁଷ ଓ ମହିଳା ବର୍ଗରେ ଅଲମ୍ପିକ କ୍ୱାଲିଫାୟାର୍ ମ୍ୟାଚ୍ ଆୟୋଜନ କରିଥିଲା ଭୁବନେଶ୍ୱର ହକି ଷ୍ଟାଡିୟମ। ଏହି କ୍ୱାଲିଫାୟାର ମ୍ୟାଚରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଅଲମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।ଗତ କିଛିଦିନ ତଳେ କଳିଙ୍ଗ ଷ୍ଟାଡିୟମରେ ପୁଣିଥରେ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବ ବୋଲି ଘୋଷଣା କରାଯାଇଛି। ୨୦୧୮ ହକି ବିଶ୍ୱକପକୁ ଗୋଟିଏ ବର୍ଷ ପୂରିବା ପରେ ପରେ ପୁଣିଥରେ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ କଳିଙ୍ଗ ଷ୍ଟାଡିୟମକୁ ଅଧିକାର ମିଳିଛି।୨୦୨୩ରେ କଳିଙ୍ଗ କ୍ରୀଡ଼ା ଇତିହାସରେ ପୁଣି ପୁରୁଷ ହକି ବିଶ୍ୱକପର କାହାଣୀ ଲେଖା ହେବ, ଯାହାକୁ ଅନେଇ ବସିଛନ୍ତି ରାଜ୍ୟବାସୀ।