ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପିପିଲି ପାଣିଦୋଳ ଗ୍ରାମରେ ଗାଁ ଲୋକକଳା ମହୋତ୍ସବ ୨୦୧୯ ଉଦ୍ଘାଟିତ ହୋଇଛି। ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। ପିପିଲି ବ୍ଲକ କଳା ସଂସ୍କୃତି ସଂଘ ଓ ପାଣିଦୋଳ ପଞ୍ଚାୟତ ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା।

ଏହି ଲୋକକଳା ମହୋତ୍ସବ ୨୦, ୨୧ ଏବଂ ୨୨ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହାର ଉଦ୍ଘାଟନ ଉତ୍ସବରେ ଓଡିଆ ଭାଷା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ପିପିଲି-ଡେଲାଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥି, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରପାଠୀ, ପିପିଲି ମହା ବିଦ୍ୟାଳୟର ସଙ୍ଗୀତ ଅଧ୍ୟାପକ ଡକ୍ଟର ସଚ୍ଚିକାନ୍ତ ନାୟକ, ପିପିଲି ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ରାଜ୍ୟ ଜିଲ୍ଲା ପରିଷଦ ସଭ୍ୟା ଗିତାଞ୍ଜଳୀ ଦାଶ, ନଟିଆ କର୍ଟୁନ ଭଏସ୍ ଆର୍ଟିଷ୍ଟ ସ୍ମୃତି ରଞ୍ଜନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବର୍ତ୍ତମାନ ସ୍ଥିତି ସଂକଟରେ ପଡିଥିବା ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ କାଳାକାରମାନଙ୍କ ସମ୍ପର୍କରେ ଅତିଥିମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଆଜିର ସମାଜରେ ଜାନୁଘଣ୍ଟି, ଚକୁଳିଆ ପଣ୍ତା, ଧୁଡୁକି, ବାଦିପାଲା, ଓଡିଶୀ, ଦାସ କାଠିଆ ସବୁ କିଛି ହଜି ଯିବାକୁ ବସିଲାଣି ବୋଲି ଅତିଥିମାନେ ଆଲୋଚନା କରିଥିଲେ।

ଭାରତ ବର୍ଷରେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ରାଜ୍ୟ ସରକାର ପ୍ରଥମଥର ପାଇଁ ହଜି ଯାଇଥିବା ଥିବା ଓଡିଆ ଭାଷା ଗାଁ ଲୋକକଳାକୁ ଉଜ୍ଜୀବିତ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଓଡିଶାରେ ୪୭୧ ପ୍ରକାର ଲୋକକଳା ରହିଛି। ଏହି ଲୋକକଳା ପାଇଁ ରାଜ୍ୟ ସରକାର କଳାକାର ଭତ୍ତା ପାଇଁ ୧୨୦୦ ଟଙ୍କା ପ୍ରଦାନ କରୁଛନ୍ତି। ଏହା ସତ୍ତ୍ଵେ ଆମ ଗାଁ ଗହଳିର ଲୋକଙ୍କର ଲୋକକଳା ପ୍ରତିଆନ୍ତରିକତାର ଅଭାବ ଦେଖା ଦେଇଥିବାର ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଥିଲେ।
















