ଓଡ଼ିଶାଲାଇଭ୍‌ ବ୍ୟୁରୋ

କାରିଗରର ଅଭାବ ଯୋଗୁଁ କମିଯାଉଛି ପିପିଲି ଚାନ୍ଦୁଆର ଚାହିଦା। କମି ଯାଉଛନ୍ତି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ।   

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ସଙ୍କଟରେ ପିପିଲି ଚାନ୍ଦୁଆ। ଯେଉଁ ଚାନ୍ଦୁଆ ପାଇଁ ଓଡିଶା ସାରା ଦେଶ ବିଦେଶରେ ନାଁ କରିଛି ତାହା ଆଜି ବୁଡ଼ି ଯିବାକୁ ବସିଛି। ପୂର୍ବରୁ ଚାନ୍ଦୁଆ ତିଆରି କରି ପିପିଲି ଅଞ୍ଚଳର ହଜାର ହଜାର ପରିବାର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଆଜି ତାହା ଦୁର୍ବିଷହ ହୋଇପଡ଼ିଛି। ଆନ୍ତର୍ଜାତିକ ବଜାରରେ ଚାନ୍ଦୁଆର ପ୍ରଚାର ପ୍ରସାର କମିଥିବା ବ୍ୟବସାୟୀମାନେ କହୁଥିବା ବେଳେ ଚାନ୍ଦୁଆ ଭଳି ପୁରାତନ ହସ୍ତ କାରିଗରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି।

ଓଡ଼ିଶାର ଏକ ପୁରାତନ ହସ୍ତକଳା ହେଉଛି ଚାନ୍ଦୁଆ। ଚାନ୍ଦୁଆ ସହ ପ୍ରଭୁ ଜଗନ୍ନାଥଙ୍କ ସଂପର୍କ ବହୁ ପରାତନ। ଏହି ଚାନ୍ଦୁଆ ମୁଖ୍ୟତଃ ଦରଜୀ ସଂପ୍ରଦାୟର ଲୋକେ ତିଆରି କରିଥାନ୍ତି। ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ କପାଡାରେ ବିଭିନ୍ନ ସୂକ୍ଷ୍ମ କାରିଗରି ସାଙ୍ଗକୁ ଶୁଆ, ନୀଳଚକ୍ର, ଗଦା ଆଦି ପ୍ରସ୍ତୁତ କରିଥାନ୍ତି ଚାନ୍ଦୁଆ କାରିଗରମାନେ। ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ପାଇଁ ହେରାପଞ୍ଚମୀ ଦିନ ଚାନ୍ଦୁଆ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ। ପ୍ରଭୁଙ୍କ ନିଳାଦ୍ରୀ ବିଜେ ଦିନ ରତ୍ନ ସିଂହାସନରେ ଚାନ୍ଦୁଆ ବନ୍ଧାହୁଏ। ଖାଲି ସେତିକି ନୁହେଁ ଓଡିଶାର ପ୍ରତ୍ୟେକ ଦେବା ଦେବୀଙ୍କ ମଥା ଉପରେ ଚାନ୍ଦୁଆ ବନ୍ଧା ହୋଇଥାଏ।

ଚାନ୍ଦୁଆର ବହୁଳ ବ୍ୟବହାର ଫଳରେ ପିପିଲରେ ବସବାସ କରୁଥିବା ଦରଜୀ ସଂପ୍ରଦାୟର କାରିଗରମାନେ ନିଜସ୍ଵ ଜ୍ଞାନ କୌଶଳରେ ବିଭିନ୍ନ ଆକର୍ଷଣୀୟ ଚାନ୍ଦୁଆ ପ୍ରସ୍ତୁତ କରି ବଜାରରେ ବିକ୍ରି କଲେ। ପରେ ପିପିଲି ଚାନ୍ଦୁଆ ବିଦେଶୀ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥିଲା। ପରେ ପିପିଲି ଚାନ୍ଦୁଆ ତିଆରି ଓ ରପ୍ତାନୀ କ୍ଷେତ୍ରରେ ଦେଶ ବିଦେଶରେ ବେଶ ସୁନାମ ଅର୍ଜନ କରିଥିଲା।

ଚାନ୍ଦୁ‌ଆ ପ୍ରଥମେ ଭଗବାନଙ୍କ ସେଵାରେ ବ୍ୟବହୃତ ହେଉଥିଲା। ସେଥିପାଇଁ କାରିଗରମାନେ ଚାନ୍ଦୁଆରେ ରାହୁମୁଣ୍ଡ, ଶୁଆ, କଦଳୀପତ୍ର, ନୀଳଚକ୍ର, ଗଦା, ତୁଳସୀପତ୍ର ଓ ବେଲପତ୍ର ପରି ସୂକ୍ଷ୍ମ କାମ ତିଆରି କରୁଥିଲେ। ଏହାକୁ ମହିଳାମାନେ ଛୁଞ୍ଚି ସୂତାରେ ପ୍ରସ୍ତୁତ କରୁଥିଲେ। ଯାହାକୁ ନେଇ ପିପିଲି ନାଁ ଚାନ୍ଦୁଆ ବୋଲି ବୁଝିବାକୁ ହେଉଥିଲା। ପ୍ରତ୍ୟେକ ଦିନ ବିଦେଶୀ ପର୍ଯ୍ୟଟକ କୋଣାର୍କ ପୁରୀ ବୁଲି ଆସୁଥିବା ବେଳେ ବେଶ ଭିଡ ମଧ୍ୟ ଜମାଉଥିଲ। ଏହାର ଚାହିଦାକୁ ଦେଖି ପରେ ବ୍ୟବସାୟୀ ଓ କାରିଗରମାନେ କମର୍ସିଆଲ ହୋଇଗଲେ।

ପରେ ସାଧରଣ ଲୋକଙ୍କ ବ୍ୟବହାର ଉପଯୋଗୀ ଛତା, ବେଡ୍‌ କଭର, ଡୋର୍‌ କଭର, ଟିଭି କଭର ଆଦି ମାର୍କେଟରେ ବିକ୍ରି କଲେ। ତାହା ମଧ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିପାରିଥିଲା। ଚାନ୍ଦୁଆ ବ୍ୟବସାୟ ବେଶ କିଛିଦିନ ଭଲ ଚାଲିଲା। ଦୁଇ ପଇସା ରୋଜଗାର କରି ସ୍ଵାବଲମ୍ବୀ ହେବା ଲକ୍ଷ୍ୟରେ ଲାଗି ପଡ଼ିଲେ ପିପିଲି ଚାନ୍ଦୁଆ କାରିଗର। ଏହି କାର୍ଯ୍ୟରେ ବ୍ୟବହାର କଲେ ଉନ୍ନତ ଯନ୍ତ୍ରପାତି। ହେଲେ ଏବେ ଚାନ୍ଦୁଆ ବଜାର ଅବସ୍ଥା ଏଭଳି ହୋଇଛି ବିଦେଶୀ ପର୍ଯ୍ୟଟକ ମୁହଁ ଫେରାଇ ନେଉଛନ୍ତି।

ପିପିଲିର ଲ୍ୟାମ୍ପ ସେଡ ଚାଇନାରେ ପ୍ରସ୍ତୁତ ହେବା ପରେ ଦେଶ ବିଦେଶରେ ପିପିଲି ଚାନ୍ଦୁଆର ଚାହିଦା କମିଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ। ବ୍ୟବସାୟୀ ଓ କାରିଗରଙ୍କୁ କଞ୍ଚାମାଲ ଯୋଗାଉଥିବା ଉତ୍କଳିକା ମଧ୍ୟ ମାନ୍ଦା ଅବସ୍ଥା ଦେଇ ଗତି କରୁଛି। ଯେଉଁଠି ଲକ୍ଷ ଟଙ୍କାର ବ୍ୟବସାୟ ଉତ୍କଳିକା କରୁଥିଲା ଏବେ ୨୦ ହଜାରରେ ପହଁଚିଛି।

ଏନେଇ ଜଣେ କାରିଗର କହିଛନ୍ତି, “ସରକାର ପିପିଲି ଟୋଲ ଗେଟରୁ ମକୁନ୍ଦପୁର ଭଗୁଆ ବାଙ୍କ ଯାଏଁ ନୂତନ ବାଇପାସ ନିର୍ମାଣ କରିବା ପରେ ପିପିଲି ବଜାର ଏବେ ଖାଁଖାଁ। ପୂର୍ବଭଳି ପିପିଲିରେ ମାଳ ମାଳ ଗାଡି ଦେଖିବାକୁ ମିଳୁନି କି ପିପିଲିକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ନାହିଁ, ଯାହା ଅଗମୀ ଦିନକୁ ଚାନ୍ଦୁଆ ଶିଳ୍ପ ଉପରେ ଘୋର ସଙ୍କଟ ମାଡ଼ି ଆସୁଥିବା ସୂଚନା ଦେଉଛି। ସରକାରଙ୍କ ପକ୍ଷରୁ ଚାନ୍ଦୁଆର ପ୍ରଚାର ପ୍ରସାର ଆବଶ୍ୟକତା ଜରୁରୀ ହୋଇପଡିଛି।“

Comment