ଓଡ଼ିଶାଲାଇଭ୍ ବ୍ୟୁରୋ

- ୨୫ ବର୍ଷ ପାଇଁ ଟାଟା ପାୱାରକୁ ଲାଇସେନ୍ସ
- ଟାଟା ପାୱାର ହାତରେ ୫୧ ପ୍ରତିଶତ ଅଂଶଧନ
- ସରକାରଙ୍କ ପାଖରେ ୪୯ ପ୍ରତିଶତ ଅଂଶଧନ
- ବିରୋଧୀ କହିଲେ ବଡ଼ ଧରଣର ଦୁର୍ନୀତି
- ସିବିଆଇ ତଦନ୍ତ ଦାବି କଲେ ବିରୋଧୀ
ଯାହା ଆଶଙ୍କା କରାଯାଉଥିଲା ତାହା ସତ ହେଲା। ବିଦ୍ୟୁତ ବିତରଣ ସଂସ୍ଥା ସେସୁକୁ ବିକ୍ରି କରିଦେଲେ ରାଜ୍ୟ ସରକାର। ଏଣିକି ଟାଟା ପାୱାର ହାତରେ ବିଦ୍ୟୁତ ବିତରଣ ଦାୟିତ୍ୱ ଟେକି ଦେଇଛନ୍ତି ସରକାର। ଟାଟା ପାୱାର ଏବେ ୯ ଜିଲ୍ଲାର ବିଦ୍ୟୁତ ବିତରଣ କଥା ବୁଝିବ। ତେବେ ରାଜ୍ୟ ସରକାର କାହିଁକି ଏଭଳି ନିଷ୍ପତ୍ତି ନେଲେ ତାକୁ ନେଇ ରାଜନୀତି ପାଣିପାଗ ଗରମ ହୋଇଛି।
ଗତ ୧୦ ତାରିଖରେ ସେସୁ ସିଇଓ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀ କରି ସେସୁର ବିଦ୍ୟୁତ ବିଲ୍ ବାକି ପଡ଼ିଥିବା କହିଥିଲେ। ସାଧାରଣ ଉପଭୋକ୍ତାଙ୍କ ଉପରେ ୨ ହଜାର କୋଟି ଟଙ୍କାର ବିଦ୍ୟୁତ ବିଲ୍ ବାକି ପଡ଼ିଥିବା ସେ କହିଥିଲେ। ଜାନୁଆରି ୧୫ ସୁଦ୍ଧା ବିଲ୍ ପଇଠ କର, ନହେଲେ ବିଦ୍ୟୁତ କଟାଯିବ ବୋଲି ସେସୁ ଉପଭୋକ୍ତାଙ୍କୁ ନାଲି ଆଖି ଦେଖାଇଥିଲା।
ସେସୁର ଏହି ସାମ୍ବାଦିକ ସମ୍ମିଳନୀକୁ ନେଇ ସେତେବେଳେ ଚର୍ଚ୍ଚା ଜୋର୍ ଧରିଥିଲା। ସେସୁ ବିକ୍ରି ହୋଇଯିବ ବୋଲି ଚର୍ଚ୍ଚା ହୋଇଥିଲା। ଏହା ଆଜି ବାସ୍ତବ ରୂପ ନେଇଛି। ୪ ହଜାର କୋଟିର ସମ୍ପତ୍ତିକୁ ୩୦୦ କୋଟିରେ ଟେକି ଦିଆଯାଇଥିବା ଚର୍ଚ୍ଚା ହେଉଛି।
ଟାଟା ପାୱାର ହାତରେ ୫୧ ପ୍ରତିଶତ ଏବଂ ସରକାରଙ୍କ ପାଖରେ ୪୯ ପ୍ରତିଶତ ଅଂଶଧନ ରହିବ। ୨୫ ବର୍ଷ ପାଇଁ ଟାଟା ପାୱାର କମ୍ପାନି ଲିଜ୍ରେ ନେଇଛି।
ଭୁବନେଶ୍ୱର-୧ ଓ ୨ ସମେତ କଟକ, ପାରାଦୀପ, ଢେଙ୍କାନାଳରେ ବିଦ୍ୟୁତ ବିତରଣ କରୁଥିଲା ସେସୁ। ଏବେ ନୂଆ ରାଜିନାମା ଅନୁସାରେ ଟାଟା ପାୱାର ଏହିସବି ଅଞ୍ଚଳ ସମେତ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲା ଓ ଯାଜପୁରର କିଛି ଅଞ୍ଚଳରେ ବିଦ୍ୟୁତ ବିତରଣ କଥା ବୁଝିବ।
ତେବେ ଟାଟା ପାୱାରକୁ ଶାଗ ମାଛ ଦରରେ ବିଦ୍ୟୁତ ବିତରଣ ସଂସ୍ଥାର ଦାୟିତ୍ୱ ଟେକିଦେବାକୁ ନେଇ ପ୍ରଶ୍ନବାଚୀ ଉଠିଛି। ଉପଭୋକ୍ତା ମହାସଂଘ ଏହାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ଏବଂ ବିଜେପି ମଧ୍ୟ ସରକାରଙ୍କୁ ଘେରିଛନ୍ତି।
‘‘ବିଦ୍ୟୁତ ବିତରଣ ଦାୟିତ୍ୱ ରାଜ୍ୟ ସରକାର ଠିକ୍ରେ ତୁଲାଇ ପାରିଲେ ନାହିଁ। ଏଣୁ ବାଧ୍ୟ ହୋଇ ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ହାତକୁ ଟେକି ଦେଇଛନ୍ତି’’, କହିଛନ୍ତି ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ।
‘‘ବିଦ୍ୟୁତ ବିତରଣ ସଂସ୍ଥାକୁ ଶଗ ମାଛ ଦରରେ ଟାଟା ପାୱାର ହାତକୁ ଟେକିଦେବା ପଛରେ ଦୁର୍ନୀତିର ଗନ୍ଧ ରହିଛି। କାହିଁକି ଏଭଳି ପଦକ୍ଷେପ ସରକାର ନେଲେ ତାହା ସ୍ପଷ୍ଟ କରିବା ଦରକାର। ଏହାଛଡ଼ା ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର’’, କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।
ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ।
‘‘ବିଦ୍ୟୁତ ସଂସ୍କାର ବେଳେ ବିଦ୍ୟୁତ ବିଭାଗର ଘରୋଇକରଣ କଥା ରହିଥିଲା। ସରକାର ଯାହା ବି କରିବେ ଉପଭୋକ୍ତାଙ୍କ ଭଲ ପାଇଁ ହିଁ କରିବେ। ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଚାର କରି ଏଭଳି ପଦକ୍ଷେପ ନେଇଥିବେ’’, କହିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ।


















