ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ନୂଆବର୍ଷରେ ଠାକୁର ଦର୍ଶନ କରି ପରିବାରର ମଙ୍ଗଳ କାମନା କରି ଘରକୁ ଫେରିଲା ବେଳେ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ଅନ୍ତର୍ଗତ ମଞ୍ଜୁଷା ନିକଟରେ। ମୃତାହତମାନେ ଭୁବନେଶ୍ୱରର ବାସିନ୍ଦା ବୋଲି ଜଣାପଡ଼ିଛି।

ଶୁକ୍ରବାର ଦିନ ପୂରା ପରିବାର ବିଶାଖାପାଟଣା ପହଞ୍ଚିଥିଲେ। ରାତିରେ ବିଶାଖାପାଟଣା ନିକଟ ସିମାଞ୍ଚଳ ପାହାଡ ଉପରେ ଥିବା ନରସିଂହ ସ୍ୱାମୀ ମନ୍ଦିରରେ ଠାକୁର ଦର୍ଶନ କରି ପରିବାରର ମଙ୍ଗଳ କାମନା କରିବା ପରେ ରାତିରେ ନିଜର କାର୍‌ରେ  ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ।

ଗାଡ଼ିଟି ଶ୍ରୀକାକୁଲମ ଜିଲ୍ଲାର ମଞ୍ଜୁଷାଳ, କୋଟପାଲ୍ଲୀ ନିକଟ ୫ ନମ୍ବର ଜାତୀୟ ରାଜପଥ ଉପରେ କେନାଲ ମଧ୍ୟକୁ ଖସି ପଡିଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ରୂପେ ଆହତ ହୋଇ ପଲାସା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ଜଣାପଡିଛି। କାର୍‌ଟି କେନାଲ ମଧ୍ୟକୁ ଖସି ପଡ଼ିବା ଯୋଗୁଁ ଯାତ୍ରୀମାନେ ବାହାରକୁ ବାହାରି ପାରିନଥିଲେ ଯାହାଦ୍ୱାରା ପାଣିରେ ବୁଡି ସେମାନଙ୍କ ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଛି।

ପୋଲିସର ସୂଚନା ଅନୁଯାଇ ମୃତ ବ୍ୟକ୍ତି ମାନେ ଭୁବନେଶ୍ୱର ବାସିନ୍ଦା ତ୍ରିଲୋଚନ ଜେନା, ଭାନିତା ଜେନା, ଆଦର୍ଶ କୁମାର ଜେନା, ପ୍ରତାପ ଜେନା ଓ ରିତୁ ଜେନା ଜଣେ ଛୋଟ ଛୁଆ।

Comment