ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଏଣିକି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ-ଓଡ଼ିଶା (ଏନ୍ଏଲ୍ୟୁ-ଓ)ରେ ନାମଲେଖା ଓ ପାଠ ପଢା କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ବିଶ୍ୱବିଦ୍ୟାଳୟର ୨୫ ପ୍ରତିଶତ ଆସନ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ। ପୂର୍ବରୁ ଏନେଇ ବିଭିନ୍ନ ସ୍ତରରେ ବହୁବାର ଦାବି ହୋଇଥିଲା।
ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ଏ ବାବଦରେ ଅନେକ ଥର ଚିଠି ଲେଖାଯିବା ପରେ ଶନିବାର ଏନ୍ଏଲ୍ୟୁ(ଓଡ଼ିଶା)ର ସାଧାରଣ ପରିଷଦ ବୈଠକରେ ପ୍ରସ୍ତାବକୁ ମୋହର ଲଗାଯାଇଛି। ଏଥିସହ ଚଳିତ ଶିକ୍ଷା ବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସେହିଭଳି ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଛାତ୍ରଛାତ୍ରୀଙ୍କ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇ ଘୋଷଣା କରାଯାଇଛି।
ସିଟ୍ ସଂରକ୍ଷଣ ପାଇଁ ପୂର୍ବରୁ ଉଚ୍ଚ ଶିକ୍ଷା ସଚିବ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିବେଦନ କରିଥିଲା ବେଳେ ଗତ ୧ତାରିଖ ଦିନ ନିୟମାବଳୀ ସଂଶୋଧନ କରିବା ପାଇଁ ମଧ୍ୟ ଚିଠି ଲେଖିଥିଲେ। ଓଡ଼ିଶାରୁ ଦ୍ୱାଦଶ ଶ୍ରେଣୀ କିମ୍ବା ସମାନ ପାଠ୍ୟକ୍ରମରେ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟ କୋଟାରେ ପାଠ ପଢିବା ପାଇଁ ଅତି କମ୍ରେ ୬୦ ପ୍ରତିଶତ ମାର୍କ ହାସଲ କରିଥିବା ଜରୁରୀ ବୋଲି ନିୟମ ରହିଛି।
ଏହାସହ ପିଜି ପାଠ୍ୟକ୍ରମ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଆଇନରେ କିମ୍ବା ସମାନ ପାଠ୍ୟକ୍ରମରେ ସ୍ନାତକ କରିଥିବା ଜରୁରୀ। ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଛାତ୍ରଛାତ୍ରୀ ସ୍ନାତକରେ ଅତିକମରେ ୫୦ ପ୍ରତିଶତ ନମ୍ବର ହାସଲ କରିଥିବା ଜରୁରୀ ବୋଲି କାଉନସିଲ୍ ପକ୍ଷରୁ ଘୋଷଣା କରାଯାଇଛି।
ପୂର୍ବରୁ ଏହି ଜାତୀୟ ପ୍ରତିଷ୍ଠାନରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ପ୍ରକାରର ସିଟ୍ ସଂରକ୍ଷଣ ବ୍ୟବସ୍ଥା ନଥିଲା। ତେଣୁ ଓଡ଼ିଶାର ପିଲାଙ୍କ ପାଇଁ ଆସନ ସଂରକ୍ଷଣ ନିମନ୍ତେ ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ୨୦୧୮ ଏପ୍ରିଲ୍ ୨୪ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିଲା। ପରେ ୟୁଜି ପିଲାଙ୍କ ପାଇଁ ନିୟମାବଳୀ ପ୍ରଣୟନ କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କୁଳପତିଙ୍କୁ ଚିଠି ଲେଖିଥିଲେ। ଅନେକ ଥର ଚିଠି ଲେଖାଯିବା ପରେ ଏନ୍ଏଲ୍ୟୁଓ ସାଧାରଣ ପରିଷଦ ବୈଠକରେ ପ୍ରସ୍ତାବକୁ ଗୃହୀତ କରାଯାଇ ୨୫ ପ୍ରତିଶତ କୋଟା ଲାଗୁ କରାଯାଇଛି।


















