ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ରେଣ୍ଟାଲ କଲୋନୀର ବୀରେନ୍ଦ୍ର ତ୍ରିପାଠୀ ଓଏଏସ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।  

“ପରିଶ୍ରମ ଆଗରେ ବିଫଳତା ହାର୍ ମାନେ। କର୍ମ ଆଧାରରେ କୌଣସି ମଣିଷକୁ ବି ଅଲଗା କରାଯାଇପାରିବ ନାହିଁ। ମଣିଷ ନିଜର କର୍ମ ସହିତ ନିଜର ସଫଳତା ପାଇଁ ପରିଚିତ ହୋଇଥାଏ। ସେହିପରି ସଫଳତା ପାଇବାକୁ ହେଲେ ସମସ୍ତେ କଠିନ ପରିଶ୍ରମ କରିବା ଆବଶ୍ୟକ”, କହିଛନ୍ତି ବରା ବିକାଳୀର ଓଏଏସ୍ ପୁଅ ବୀରେନ୍ଦ୍ର ତ୍ରିପାଠୀ।

ଭୁବନେଶ୍ୱର ରେଣ୍ଟାଲ କଲୋନୀର ଜଣେ ଜଳଖିଆ ଦୋକାନୀର ପୁଅ ବୀରେନ୍ଦ୍ର ତ୍ରିପାଠୀ ସୋମବାର ଓଏଏସ୍ ପରୀକ୍ଷାରେ ପାସ୍ କରିଛନ୍ତି। ପିଲାଦିନରୁ ଓଏଏସ୍ ହେବା ପାଇଁ ସ୍ୱପ୍ନ ଦେଖୁଥିବା ବୀରେନ୍ଦ୍ର ୨୦୧୮ ଓଏଏସ୍ ପରୀକ୍ଷାରେ ୬୭ ନମ୍ବର ରାଙ୍କ୍ ହାସଲ କରିଛନ୍ତି। ଏହାପରେ ଏବେ ତାଙ୍କୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା।ବୀରେନ୍ଦ୍ରଙ୍କ ବାପା ପ୍ରାୟ ୨୪ ବର୍ଷ ତଳେ କାମ କରିବାକୁ ଭୁବେନଶ୍ୱର ଚାଲିଆସିଥିଲେ। ଏହାପରେ ପିଲମାନଙ୍କୁ ମଣିଷ କରିବା ସହ ସେମାନଙ୍କୁ ସଠିକ୍ ଶିକ୍ଷା ଦେବା ପାଇଁ ସାନ ଭାଇଙ୍କ ସହ ମିଶି ଏକ ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ବୀରେନ୍ଦ୍ର ମଧ୍ୟ ପିଲାଦିନେ ତାଙ୍କ ବାପାଙ୍କୁ ଜଳଖିଆ ଦୋକାନରେ ସାହାଯ୍ୟ କରୁଥିଲେ। କିନ୍ତୁ ଦଶମ ଶ୍ରେଣୀ ପରୀକ୍ଷା ପରେ ବାପାଙ୍କ ତାଗିଦ୍ ହେଲା ଯେ ପୁଅ ଆଉ ଦୋକାନକୁ ଯିବନି। ବୀରେନ୍ଦ୍ରଙ୍କ ଭବିଷ୍ୟତ ପ୍ରତି ଧ୍ୟାନ ଦେଇ ତାଙ୍କ ବାପାଙ୍କ ଏହି ନିଷ୍ପତ୍ତି ତାଙ୍କୁ ଆଜି ଓଏଏସ୍ ପରୀକ୍ଷାରେ ସଫଳତା ଦେଇଛି ବୋଲି କହିଛନ୍ତି ବୀରେନ୍ଦ୍ର।

ବିଭିନ୍ନ ପ୍ରକାର ଅଭାବ ଅନଟନ ମଧ୍ୟରେ ବୀରେନ୍ଦ୍ର ଆଜି ତାଙ୍କ ବାପା ମା’ଙ୍କ ସ୍ୱପ୍ନକୁ ପୂରଣ କରିବା ସହ ନିଜକୁ ଓଏଏସ୍ ଅଫିସର ଭାବେ ଗଢ଼ି ତୋଳିଛନ୍ତି। ଆଖ ପାଖର ଅନେକ ଲୋକମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭିଡ଼ ଲଗାଇଛନ୍ତି। ଗୋଟିଏ ସାଧାରଣ ପରିବାରରୁ ଆସି ଆଜି ଏଭଳି ପରୀକ୍ଷାରେ ପାସ୍ କରିବା ତାଙ୍କ ଅଞ୍ଚଳ ପାଇଁ ଏକ ଗର୍ବର କଥା ବୋଲି କହିଛନ୍ତି ବୀରେନ୍ଦ୍ରଙ୍କ ବାପା।ବୀରେନ୍ଦ୍ର ସୋମବାର ରାତିରେ ନିଜର ରେଜଲ୍ଟ ଜାଣିବା ପରେ ତାଙ୍କ ମା’ଙ୍କୁ ମଧ୍ୟ ନିଦ ନାହିଁ। ପୁଅକୁ କୁଣ୍ଢାଇଧରି କାନ୍ଦିବା ସହ ନିଜ ପୁରୁଣା ଦିନର ଦୁଃଖ କଷ୍ଟକୁ ମନେପକାଇଛନ୍ତି ବୀରେନ୍ଦ୍ରଙ୍କ ମା’। କିଭଳି ନିଜେ ଉପାସ ରହି ନିଜ ପୁଅର ଆବଶ୍ୟକତାକୁ ସେ ପୂରଣ କରିଛନ୍ତି ତାକୁ ମନେପକାଇଛନ୍ତି ବୀରେନ୍ଦ୍ରଙ୍କ ମା। ଏଥିସହିତ ଭବିଷ୍ୟତରେ ଯେଉଁମାନେ ଏଭଳି ପରୀକ୍ଷା ଦେବାକୁ ଯାଉଛନ୍ତି ସେମାନେ ନିଜର ଲକ୍ଷ୍ୟ ସ୍ଥିର ରଖିବା ସହ ନିଜର ଏକ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରନ୍ତୁ। ଏହାବାଦ୍ ନିଜର ସ୍ୱପ୍ନ ପୂରଣ କରିବା ପାଇଁ କଠିନ ପରିଶ୍ରମ ଜାରି ରଖନ୍ତୁ ବୋଲି କହିଛନ୍ତି ବୀରେନ୍ଦ୍ର।

LEAVE A REPLY

Please enter your comment!
Please enter your name here