ଓଡ଼ିଶାଲାଇଭ୍ ବ୍ୟୁରୋ

ଟେଷ୍ଟରେ ପୁଣି ବେଷ୍ଟ୍ ହୋଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଆଇସିସିର ନୂଆ ରାଙ୍କିଙ୍ଗ୍ ତାଲିକାରେ ନିଜର ନମ୍ବର ୱାନ୍ ସ୍ଥାନ ବଜାୟ ରଖଛନ୍ତି କୋହଲି।

ଆଇସିସିର ସଦ୍ୟ ପଏଣ୍ଟ ତାଲିକା ଅନୁସାରେ, ଟେଷ୍ଟରେ କୋହଲି ମୋଟ ୯୨୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲୀୟ ଖେଳାଳି ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ଓ ମାର୍ନସ ଲାବୁସଚାଙ୍ଗେ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ଚିତେଶ୍ୱର ପୁଜାରା ଷଷ୍ଠ ଓ ଅଜିଙ୍କ୍ୟ ରାହାଣେ ନବମ ସ୍ଥାନରେ ରହିଛନ୍ତି।

କୋହଲି ଲଗାତାର ଭାବେ ଟେଷ୍ଟରେ ରନ୍ କରୁଛନ୍ତି। ଏହାର ଫଳ ସ୍ୱରୂପ ସେ ଦ୍ୱିତୀୟ ସ୍ଥାନରେ ଥିବା ଷ୍ଟିଭ୍ ସ୍ମିଥଙ୍କଠାରୁ ୧୭ ପଏଣ୍ଟ ଆଗରେ ରହିଛନ୍ତି।ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ସେ ସମୟରେ ବଲ୍ ଟାମ୍ପରିଂ ବିବାଦରେ କ୍ରିକେଟରୁ ବାସନ୍ଦ ହେବା ପରେ କୋହଲି ବିନା କୌଣସି ଅସୁବିଧାରେ ନମ୍ବର ୱାନ୍ ସ୍ଥାନ ଅକ୍ତିଆର କରିନେଇଥିଲେ। ଏହାପରଠାରୁ ଭାରତ ପାଇଁ ଟେଷ୍ଟରେ ଲଗାତାର ଭାବେ ରନ୍ ସଂଗ୍ରହ କରୁଛନ୍ତି ବିରାଟ କୋହଲି। ଗତ ୱେଷ୍ଟଇଣ୍ଡିଜ୍ ସିରିଜ, ବାଂଲାଦେଶ ସିରିଜରେ ସେ ବେଶ ଭଲ୍ ପ୍ରଦର୍ଶନ କରିବା ସହ ନିଜ ଟିମକୁ ସିରିଜ୍ ବିଜୟୀ କରାଇଛନ୍ତି।

ଅନ୍ୟପଟେ ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପରେ ମଧ୍ୟ ଭାରତୀୟ ଟିମ୍ ଲଗାତାର ଭଲ ପ୍ରଦର୍ଶନ କରିବା ସହ ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି। ଟେଷ୍ଟ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆ ମଧ୍ୟ ନମ୍ବର ୱାନ୍ ସ୍ଥାନରେ ରହିଛି।

LEAVE A REPLY

Please enter your comment!
Please enter your name here