ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୧ରେ ଧୋନୀ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଅଧିନାୟକ ରହିବେ ବୋଲି କହିଛନ୍ତି ଏନ୍ ଶ୍ରୀନିବାସନ୍।

ଧୋନୀ କେବେ କ୍ରିକେଟରୁ ଅବସର ନେବେ? ଆଉ କେତେ ଦିନ ପର୍ଯ୍ୟନ୍ତ ସେ କ୍ରିକେଟ୍ ଖେଳ ଜାରି ରଖିବେ? ଏପରି ଅନେକ ପ୍ରଶ୍ନ ଏବେ କ୍ରିକେଟ ପ୍ରେମୀଙ୍କ ମନରେ ରହିଛି। ଏହାରି ମଧ୍ୟରେ ବିସିସିଆଇର ପୂର୍ବତନ ସଭାପତି ତଥା ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଏନ୍ ଶ୍ରୀନିବାସନ୍ ଧୋନୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।ସେ କହିଛନ୍ତି ଯେ ଧୋନୀ ୨୦୨୧ ମସିହାର ଆଇପିଏଲ ଖେଳିବେ। ଚେନ୍ନାଇ ସୁପରକିଙ୍ଗ୍ସ ଦଳ ତାଙ୍କୁ ଆଗାମୀ ବର୍ଷ ପାଇଁ ମଧ୍ୟ ରିଟେନ୍ କରିବ। ଧୋନୀଙ୍କ ଆଇପିଏଲ୍ କ୍ୟାରିଅର ଏବେ ମଧ୍ୟ ଶେଷ ହୋଇନାହିଁ। ସେ ସିଏସକେ ପାଇଁ ୨୦୨୧ରେ ମଧ୍ୟ ଅଧିନାୟକ ଭାର ସମ୍ଭାଳିବେ ବୋଲି ସେ କହିଛନ୍ତି। ଏହାବାଦ୍ ଧୋନୀ ଭାରତୀୟ ଦଳରେ କେତେ ଦିନ ରହିବେ ସେ ନେଇ କିନ୍ତୁ ଶ୍ରୀନିବାସନ୍ କୌଣସି ଉତ୍ତର ରଖିନାହାନ୍ତି।କିଛି ଦିନ ତଳେ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ଧୋନୀଙ୍କୁ ବାଦ୍ ଦେଇଥିଲା। ଏହାପରେ ଧୋନୀଙ୍କ କ୍ରିକେଟ୍ କ୍ୟାରିଅର ଶେଷ ହୋଇଗଲା ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହିବା ଆରମ୍ଭ କରିଦେଇଥିଲେ। ଧୋନୀ ବିଶ୍ୱକପ ପରଠାରୁ କୌଣସି ପ୍ରକାର କ୍ରିକେଟ ନଖେଳିବା କାରଣରୁ ତାଙ୍କୁ ଚୁକ୍ତିରୁ ବାଦ୍ ଦିଆଯାଇଛି ବୋଲି ବିସିସିଆଇ ସଫେଇ ଦେଇଥିଲେ, କିନ୍ତୁ କ୍ରିକେଟ୍ ପ୍ରେମୀମାନେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। ବିସିସିଆଇ ଜାଣିଶୁଣି ଧୋନୀଙ୍କୁ ଚୁକ୍ତିରେ ସାମିଲ ନକରି ତାଙ୍କୁ ଅବସର ନେବାକୁ ବାଧ୍ୟ କରୁଛି ବୋଲି କ୍ରିକେଟ୍ ଫ୍ୟାନମାନେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ କରିଦେଇଥିଲେ।ବର୍ତ୍ତମାନ ପର୍ଯ୍ୟନ୍ତ ଧୋନୀଙ୍କ ଉପଯୁକ୍ତ ବିକଳ୍ପ ଭାବେ ବିସିସିଆଇ କୌଣସି ଖେଳାଳିକୁ ବାଛିପାରିନାହିଁ। ଧୋନୀ ଟେଷ୍ଟରୁ ଅବସରନେବା ପରେ ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହ ଓ ରିଷଭ ପନ୍ତ ୱିକେଟ୍ କିପିଂ ସମ୍ଭାଳୁଛନ୍ତି, କିନ୍ତୁ ଧୋନୀଙ୍କୁ ସ୍ଥାନ ପୂରଣ କରିବାକୁ ଏହି ଦୁଇ ଖେଳାଳି ଅସମର୍ଥ ହୋଇଛନ୍ତି। ସେହିପରି ସୀମିତ ଓଭର କ୍ରିକେଟରେ ମଧ୍ୟ ରିଷଭ ପନ୍ତଙ୍କୁ ଦଳ ବାରମ୍ବାର ସୁଯୋଗ ଦେଲେ ମଧ୍ୟ ସେ ସଫଳ ହୋଇପାରୁନାହାନ୍ତି।ଏପରି ପରିସ୍ଥିତିରେ ଧୋନୀ ଯଦି ଦଳରୁ ଅବସର ଘୋଷଣା କରନ୍ତି ତେବେ ବିସିସିଆଇ ପାଇଁ ଉପଯୁକ୍ତ ୱିକେଟ୍ କିପର ବାଛିବା କାଠିକର ପାଠ ହେବ ବୋଲି କୁହାଯାଉଛି। ଏପରିକି ଆଗକୁ ଟି-୨୦ ବିଶ୍ୱକପ୍ ହେବାକୁ ଯାଉଛି। ଯଦି ଆଇପିଏଲରେ ଧୋନୀ ଭଲ ପ୍ରଦର୍ଶନ କରନ୍ତି ତେବେ ସେ ବିଶ୍ୱକପ ଦଳରେ ମଧ୍ୟ ସାମିଲ ହେବେ ବୋଲି କେତେକ କ୍ରିକେଟର କହୁଛନ୍ତି।

Comment