ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟାପୁଛି କୋରୋନା ଭାଇରସ୍। ଏହି ଭାଇରସ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଡଭାଇଜରି ଜାରି କରିଛନ୍ତି।
ସଜାଗ ରହିବା ପାଇଁ ପ୍ରମୁଖ ହସ୍ପିଟାଲମାନଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସରକାର ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି।
କୋରୋନା ରୋଗର ଚିହ୍ନଟ ଏବଂ ଏହାର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏସସ୍ବି ମେଡିକାଲ, ବୁର୍ଲା ମେଡିକାଲ ଏବଂ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲିବାକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଚୀନ ଏବଂ ହଙ୍ଗ୍କଙ୍ଗ୍ରେ ଏହି ଭାଇରସ୍ ଆତଙ୍କ ଖେଳାଇଛି। ଚୀନ ଓ ହଙ୍ଗ୍କଙ୍ଗ୍ରୁ ଭାରତ ଆସୁଥିବା ଲୋକଙ୍କର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହୋଇଥିଲା। ଦିଲ୍ଲୀ ଏମ୍ସରେ ମଧ୍ୟ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି।


















