ଓଡ଼ିଶାଲାଇଭ୍ ବ୍ୟୁରୋ

ରଙ୍ଗରୁଟ୍ରେ ବାଇକ୍ ଚଳାଇ ଦିନକରେ ୮୦ଟି ବାଇକ ଜବତ କରିଛି କମିସନରେଟ୍ ପୋଲିସ।
ରଙ୍ଗରୁଟ୍ରେ ବାଇକ୍ ଚଳାଇ ହେଲେ ହିନସ୍ତା। ଦିନକରେ ୮୦ଟି ବାଇକ ଜବତ କରିଛି କମିସନରେଟ୍ ପୋଲିସ। ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ପ୍ରମୁଖ ଛକରେ ରଙ୍ଗରୁଟ୍ରେ ବାଇକ ଚଳାଇ ୮୦ ଜଣ ପୋଲିସ ହାବୁଡ଼ରେ ପଡ଼ିଛନ୍ତି। କମିସନରେଟ୍ ପୋଲିସ ୮୦ଟି ବାଇକ ଜବତ କରିବା ସହ ଗାଡ଼ି କାଗଜପତ୍ର କୋର୍ଟ ପଠାଇ ଦେଇଛି। ଗାଡ଼ିର ମାଲିକମାନେ କୋର୍ଟରେ ହାଜର ହୋଇ ଜରିମାନା ଦେଇ ନିଜ ଗାଡ଼ି ମୁକୁଳାଇବେ।
ଦରକାର ପଡ଼ିଲେ ବାଇକ ଚାଳକ ଜେଲ୍ ମଧ୍ୟ ଯାଇପାରନ୍ତି। ଏଭଳି ଚଢ଼ାଉ ଆଉ ସାତ ଦିନ ହେବ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି।
ଯେଉଁମାନଙ୍କ ବାଇକ ଜବତ ହୋଇଛି ସେମାନଙ୍କୁ ଏକ ସିଜର ଲିଷ୍ଟ ଧରାଇ ଦିଆଯାଇଛି। ଏହି ସିଜର ଲିଷ୍ଟକୁ ପିଆର ଏମ୍ଭି ଫର୍ମ ସହିତ ସଂଯୋଗ କରି ପୋଲିସ କୋର୍ଟକୁ ପଠାଇ ଦେବ। ପରବର୍ତ୍ତୀ ସମୟରେ ବାଇକ ଚାଳକଙ୍କ ନିକଟକୁ କୋର୍ଟରୁ ସମନ ଆସିବ। ସେମାନେ କୋର୍ଟରେ ହାଜର ହୋଇ ଜରିମାନା ଦେବେ। ବାଇକ ମାଲିକମାନେ କୋର୍ଟ କପି ଟ୍ରାଫିକ୍ ଥାନାରେ ଦେଖାଇବା ପରେ ବାଇକ ନେଇ ପାରିବେ।
ଅନ୍ୟପକ୍ଷରେ ରାସ୍ତାରେ ରଙ୍ଗ୍ ଡ୍ରାଇଭିଂକୁ ରୋକିବା ପାଇଁ ସ୍ପାଇକ୍ ବ୍ୟାରିଅର ଲଗାଯିବାକୁ କମିସନରେଟ ପୋଲିସ୍ ପକ୍ଷରୁ ନିଷ୍ପତ୍ତି ହୋଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ୍ ଡ୍ରାଇଭିଂ ପଏଣ୍ଟ ରହିଛି। ସେଥିମଧ୍ୟରୁ ଟୁଇନ୍ ସିଟିର ୩୨ଟି ଛକ ସ୍ଥାନ ଚିହ୍ନଟ ହୋଇଛି। ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ସ୍ପାଇକ୍ ବ୍ୟାରିଅର ଲଗାଯିବ।


















