ଓଡ଼ିଶାଲାଇଭ୍ ବ୍ୟୁରୋ
ମଧୁବାଲାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା।
ହିନ୍ଦୀ ସିନେମା ଜଗତର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ମଧୁବାଲାଙ୍କ ଆଜି ଜନ୍ମଦିନ। ପଚାଶ, ଷାଠିଏ ଦଶକର ଗ୍ଲାମରସ ତଥା ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଥିଲେ ମଧୁବାଲା। ସୁନ୍ଦର ଚେହେରା ସାଙ୍ଗକୁ ଚମତ୍କାର ଅଭିନୟରେ ସେ ଦର୍ଶକଙ୍କୁ ଦିଓ୍ୱାନା କରିଥିଲେ। ତାଙ୍କୁ ‘କୁଇନ୍ସ ଅଫ ଇଣ୍ଡିଆନ୍ ସିନେମା’ ତଥା ‘ବ୍ୟୁଟି ଅଫ ଟ୍ରାଜେଡି’ ବୋଲି ମଧ୍ୟ କୁହାଯାଏ।
ମଧୁବାଲା ଭାଲେଣ୍ଟାଇନ ଡେ’ରେ (୧୪ ଫେବ୍ରୁଆରି, ୧୯୩୩) ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ବହୁତ କମ୍ ଲୋକଙ୍କୁ ଜଣା କି ମଧୁବାଲାଙ୍କ ଛୁଆବେଳର ନାମ ଥିଲା ‘ମୁମତାଜ ଜହାଁ ଦେହଲବୀ’। ତାଙ୍କ ପିତାଙ୍କ ନାମ ଉତ୍ଉଲ୍ଲାହ ଏବଂ ମାଆଙ୍କ ନାମ ଆୟଶା ବେଗମ୍ ଥିଲା। ସେ ଇସଲାମ୍ ଧର୍ମାବଲମ୍ବୀ ଥିଲେ, ହେଲେ ହିନ୍ଦୁ ଅଭିନେତା-ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ।
ମଧୁବାଲାଙ୍କ କ୍ୟାରିୟର
ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ସେ କମ ବୟସରୁ ପେଶାଦାର ଅଭିନୟ ଆରମ୍ଭ କରିଥିଲେ। ୧୯୪୨ରେ ଫିଲ୍ମ ବସନ୍ତରେ ସେ ଡେବ୍ୟୁ କରିଥିଲେ। ଆଉ ତା’ ପରଠାରୁ ସେ ପାଲଟି ଯାଇଥିଲେ ଶିଶୁ କଳାକାର। ୯ ବର୍ଷ ବୟସରୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପରିଚିତ ଥିଲେ ସେ।
ମଧୁବାଲା ୩୦ରୁ ଅଧିକ ହିନ୍ଦୀ ସିନେମାରେ ନାୟିକା ଭୂମିକା ନିଭାଇଥିଲେ। ମଧୁବାଲାଙ୍କ ବେଷ୍ଟ ଫିଲ୍ମ ମଧ୍ୟରେ ପ୍ରଥମ ନାମ ହେଉଛି ମୁଗ୍ଲ ଏ ଆଜମ୍। ଏହି ଫିଲ୍ମ ୧୯୬୦ରେ ରିଲିଜ୍ ହୋଇଥିଲା। ମୁଗଲ ଏ ଆଜମ ପାଇଁ ମଧୁବାଲାଙ୍କୁ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା।
ଏହି ଫିଲ୍ମ ମଧୁବାଲାଙ୍କୁ ବଲିଉଡରେ ଏକ ପ୍ରକାର ମାଇଲେଜ୍ ଦେଇଥିଲା। ୧୯୬୨ରେ ହାପ୍ ଟିକେଟ୍ରେ ମଧୁବାଲା ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଥିଲେ। ଏହି ଫିଲ୍ମ ପରେ କିଶୋର କୁମାର ଏବଂ ମଧୁବାଲା ଅଭିନୟ କରିଥିଲେ। ଏହି ଯୋଡ଼ିଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ମଧୁବାଲାଙ୍କ ଫିଲ୍ମମାନଙ୍କ ମଧ୍ୟରେ ହାୱଡା ବ୍ରିଜ୍, ଚଲତି କା ନାମ ଗାଡ଼ି, ମହଲ, ଜ୍ୱାଲା, ବସନ୍ତ, ଶରାବୀ, ବୟଫେଣ୍ଡ, ଜାଲି ନୋଟ ଭଳି ଫିଲ୍ମ ଅନ୍ୟତମ। ୧୯୬୯ରେ ମଧୁବାଲାଙ୍କ ଦେହାନ୍ତ ହୋଇଥିଲା।