ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ କଂଗ୍ରେସ ଭବନରେ ଘମାଘଟ ଲଢ଼େଇ। କଂଗ୍ରେସ କର୍ମୀଙ୍କ ମଧ୍ୟରେ ପିଟାପିଟି ଯୋଗୁଁ ୩ଜଣ କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଵତନ୍ତ୍ର ଜିଲ୍ଲାସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।
ଦୁଇ ଗୋଷ୍ଠୀଙ୍କ ଏହି ଲଢ଼େଇ ପୁଣି ରାଜ୍ୟ ପ୍ରଭାରୀ ଜିକେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମ୍ପାଦକ ରୁଦ୍ର ରାଜୁ ଓ ପ୍ରଦୀପ ମାଝିଙ୍କ ଭଳି ନେତାଙ୍କ ଉପସ୍ଥିତିରେ ଘଟିଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଥିବା ବେଳେ ତାଙ୍କଠାରୁ ଏକ ଲୁହା ରଡ୍ ଜବତ କରାଯାଇଛି।
ବର୍ତ୍ତମାନ ରାଜ୍ୟ କଂଗ୍ରେସର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଜାନୁଆରି ୧୭ ତାରିଖରେ ଭୁବନେଶ୍ଵରସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ କିଛି କଂଗ୍ରେସ ନେତା ପିସିସି ସଭାପତିଙ୍କ ବଦଳିକୁ ନେଇ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। ଏହି ସମୟରେ କିଛି ବାଉନ୍ସରଙ୍କୁ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା, ଯାହାକୁ ନେଇ କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଥିଲା।
ବର୍ତ୍ତମାନ ପୁଣି ପୁରୀ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏଭଳି ଗଣ୍ଡଗୋଳ ଘର କଳିକୁ ଆଣି ବାହାରେ ପକାଇଛି। ଦିନକୁ ଦିନ ଦଳ ମଧ୍ୟରେ ଏଭଳି ଯୁଦ୍ଧ ଦଳର ଚିନ୍ତା ବଢ଼ାଇ ଦେଇଛି।