ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମରପୁରରୁ ସୁନୀଲ ପଟ୍ଟନାୟକ): ସ୍କୁଲ ଅଟୋରୁ ଖସିପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ତିଳୋତ୍ତମା ନଗର ମୁଖ୍ୟ ରାସ୍ତାରେ। ଛାତ୍ର ଜଣକ ହେଉଛନ୍ତି କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗ୍ରାମର ବୁଲୁ ପ୍ରଧାନଙ୍କ ପୁଅ ଅଜୟ ପ୍ରଧାନ। ସେ ସରସ୍ଵତୀ ଶିଶୁମନ୍ଦିରରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲେ।
ଅଜୟ ଦିଗପହଣ୍ଡି ଥାନା ତିଳେଶ୍ୱର ଗ୍ରାମରେ ନିଜ ମାମୁ ଘରେ ରହି ପାଠ ପଢୁଥିଲା। ଆଜି ସକାଳ ୯ଟା ୩୦ରେ ସ୍କୁଲ ଅଟୋରେ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ବାହାରିଥିଲା। ଅଟୋ ଚାଳକ ଅଚାନକ ବ୍ରେକ ଦେବାରୁ ଅଜୟ ତଳକୁ ଖସି ପଡିଲ। ଫଳରେ ଅଜୟର ଅବସ୍ଥା ଗୁରୁତର ହୋଇଥିଲା। ତାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାକୁ ଦିଗପହଣ୍ଡି ହସ୍ପିଟାଳରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ଅଟୋ ସହ ଚାଳକ ସେଠାରୁ ଫେରାର ହୋଇଯାଇଛି। ଅଜୟର ମୃତ୍ୟୁ ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହାସହ ସରସ୍ଵତୀ ଶିଶୁ ମନ୍ଦିରରେ ଶୋକସଭା କରାଯାଇ ଆଜି ସ୍କୁଲ ଛୁଟି ଘୋଷଣା କରାଯାଇଛି।
ଅନ୍ୟପକ୍ଷରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଛି। ଏହାପରେ ଉତ୍ୟକ୍ତ ଲୋକେ ଦୀର୍ଘ ସମୟ ଧରି ଦିଗପହଣ୍ଡି-ଚିକିଟି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।