ଓଡ଼ିଶାଲାଇଭ୍ ବ୍ୟୁରୋ

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି। ସୂର୍ଯ୍ୟମନ୍ଦିର ସୁରକ୍ଷା ନେଇ ଆୟୋଜିତ ଜାତୀୟ କର୍ମଶାଳାର ଆଜି ଦ୍ଵିତୀୟ ଦିନରେ ଏଭଳି ନିଷ୍ପତ୍ତି ନିଆଯାଇଛି। କର୍ମଶାଳା ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ଏହି ଦୁଇ ଦିନିଆ କର୍ମଶାଳାରେ କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ, ଏଏସ୍ଆଇ ବରିଷ୍ଠ ଅଧିକାରୀ ଓ ଗବେଷକ ଉପସ୍ଥିତ ଥିଲେ।
ଏନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି, “୧୯୦୫ ମସିହାରେ ଇଂରେଜମାନେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବାଲି ଭର୍ତ୍ତି କରିଥିଲେ। ବର୍ତ୍ତମାନ ଏହାକୁ କାଢ଼ିବାକୁ ସମସ୍ତେ ଚାହୁଁଛନ୍ତି। ଏହା ଦ୍ଵାରା କୋଣାର୍କର ଐତିହ୍ୟ ଆହୁରି ୫୦୦ ବର୍ଷ ବଞ୍ଚିବ। ବାଲି କିପରି ବାହାର କରାଯିବ ସେନେଇ ସିବିଆର୍ଆଇ ରିପୋର୍ଟ ଆସିଲା ପରେ ନିଷ୍ପତ୍ତି ନିଆଯିବ।”

ପୂର୍ବରୁ ମଧ୍ୟ ଅନେକ ବିଷେଜ୍ଞ ଆସିଛନ୍ତି ବାଲି କାଢ଼ି ଷ୍ଟିଲ କିମ୍ଵା ପଥର ଖମ୍ଵ ବସାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଆଜି ମଧ୍ୟ ବାଲି କାଢ଼ିବାକୁ ନିଷ୍ପତ୍ତି ହୋଇଛି। ଏନେଇ ମନ୍ତ୍ରୀ ବିସ୍ତୃତ ଭାବେ ଆଲୋଚନା କରିବା ସହ ବୁଝାଇଥିଲେ। ଏହାପରେ ବାଲି କାଢ଼ିବାକୁ ନିଷ୍ପତ୍ତି ହୋଇଛି। ବାଲି କାଢ଼ିବା ପାଇଁ ପ୍ରବେଶ ପଥ କିପରି କରାଯିବ ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏଏସ୍ଆଇ ଟେକ୍ନିକାଲ କୋର କମିଟି ସଦସ୍ୟ ଏନ୍ସି ପାଲ।
ଆଜିର ଏହି ଆଲୋଚନାରେ ୨ଟି ଅଧିବେଶନ ହୋଇଥିଲା। ଏଥିରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟ ପରାମର୍ଶଦାତା ଆର୍ ବାଳକ୍ରିଷ୍ଣନ, ଏଏସ୍ଆଇ ଏଡିଜି, ପ୍ରଫେସର ଅମୀୟ ଭୂଷଣ ତ୍ରିପାଠୀ, ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।








